Home ରାଜ୍ୟଜମି ବିବାଦରେ ବନ୍ଦ ହେଲା ସ୍କୁଲ ରାସ୍ତା : ୨୨୭ ଛାତ୍ରଛାତ୍ରୀ ୫ ଘଣ୍ଟା ବାହାରେ ଅପେକ୍ଷା, ପାଠପଢ଼ା ବ୍ୟାହତ।

ଜମି ବିବାଦରେ ବନ୍ଦ ହେଲା ସ୍କୁଲ ରାସ୍ତା : ୨୨୭ ଛାତ୍ରଛାତ୍ରୀ ୫ ଘଣ୍ଟା ବାହାରେ ଅପେକ୍ଷା, ପାଠପଢ଼ା ବ୍ୟାହତ।

by Maraguda Express
0 comments
ନୂଆପଡ଼ା -୯/୭- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତର ଯୋଗିବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜମି ବିବାଦକୁ କେନ୍ଦ୍ର କରି ଏକ ଉତ୍ତେଜନାପୂର୍ଣ୍ଣ ଓ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟାଳୟକୁ ଯିବା ମୁଖ୍ୟ ରାସ୍ତାରେ କଣ୍ଟା ବାଡ଼ ଲଗାଯିବା ସହ ଜମିକୁ ନଙ୍ଗଳ ଜୋତାଯାଇଥିବାରୁ ବିଦ୍ୟାଳୟର ସମସ୍ତ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ଏହାର ପ୍ରଭାବରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ୨୨୭ ଜଣ ଛାତ୍ରଛାତ୍ରୀ ପ୍ରାୟ ୫ ଘଣ୍ଟା ଧରି ବିଦ୍ୟାଳୟ ବାହାରେ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଦିନସାରା ଶିକ୍ଷାଦାନ ଓ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା, ଯାହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିବାଦୀୟ ଜମିଟି ବିଜ୍ଞାନୀ ଭୋଇଙ୍କ ପିତାଙ୍କ ନାମରେ ପଟ୍ଟା ଥିବା ଦାବି କରାଯାଉଛି। ଏହି ଦାବିକୁ କେନ୍ଦ୍ର କରି ରାସ୍ତାରେ କଣ୍ଟା ବାଡ଼ ଲଗାଯାଇଥିବାରୁ ସ୍କୁଲକୁ ଯିବା-ଆସିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପଡ଼ିଥିଲା।
ଘଟଣାର ଖବର ପାଇ ଥାନା ପୋଲିସ, ବ୍ଲକ ଶିକ୍ଷା ଅଧିକାରୀ (ବିଇଓ), ରାଜସ୍ୱ ବିଭାଗର ଅଧିକାରୀ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ସତ୍ତ୍ୱେ କୌଣସି ସ୍ଥାୟୀ ସମାଧାନ ବାହାରି ପାରିନଥିଲା।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଏଭଳି ଘଟଣା ପୂର୍ବରୁ ମଧ୍ୟ ଦୁଇରୁ ତିନିଥର ଘଟିଥିଲେ ହେଁ ପ୍ରଶାସନ ପକ୍ଷରୁ ସ୍ଥାୟୀ ସମାଧାନ କରାଯାଇନାହିଁ। ଆଲୋଚନା ସମୟରେ ବିବାଦୀୟ ପକ୍ଷ ଦୁଇଟି ଚାକିରି ଦାବି କରିଥିବା ଏବଂ ସେହି ଦାବି ପୂରଣ ନହେବା ପର୍ଯ୍ୟନ୍ତ କଣ୍ଟା ବାଡ଼ ହଟାଯିବ ନାହିଁ ବୋଲି ମତ ପ୍ରକାଶ କରିଥିବା ସୂଚନା ମିଳିଛି।
ଘଟଣାକୁ ନେଇ ଅଭିଭାବକମାନେ କହିଛନ୍ତି ଯେ, ଜମି ବିବାଦର ସମାଧାନ ଆଇନଗତ ପ୍ରକ୍ରିୟାରେ ହେବା ଉଚିତ୍, କିନ୍ତୁ କୌଣସି ପରିସ୍ଥିତିରେ ନିରୀହ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତକୁ ବାଧାଗ୍ରସ୍ତ କରାଯିବା ଉଚିତ୍ ନୁହେଁ। ବିଦ୍ୟାଳୟକୁ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ସହ ସମସ୍ୟାର ତୁରନ୍ତ ଓ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି ଜଣାଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha