85
ନୂଆପଡ଼ା, ୦୭/୦୮: ଜନସାଧାରଣଙ୍କ ସେବା ଓ ବିଶ୍ୱାସକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନୂଆପଡ଼ା ଜିଲ୍ଲା ପୋଲିସ ପକ୍ଷରୁ ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର ପାଇଁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ମିଳିଛି ଉଲ୍ଲେଖନୀୟ ସଫଳତା। ପୋଲିସ ର ନିରନ୍ତର ଓ ନିଷ୍ଠାପୂର୍ଣ୍ଣ ପ୍ରୟାସ ଫଳରେ ୫୦ରୁ ଅଧିକ ହଜିଥିବା ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ଏ ଅବସର ରେ ଅନ୍ୟମାନଙ୍କ ମଧ୍ୟ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଡିଏସପି ସ୍ଵାଧୀନ ମିଶ୍ର, ଏସଡିପିଓ ଖିଲେଶ୍ୱର ସାହୁ, ନୂଆପଡ଼ା ସଦର ଥାନା ଆଇଆଇସି ଗଙ୍ଗାଧର ମେହେର, ଖରିଆର ରୋଡ ଆଇଆଇସି ପ୍ରଦୀପ କୁମାର ଧରୁଆ, ଖଡିଆଳ ଆଇଆଇସି ସୁମନ୍ତ ନାୟକ , କୋମନା ଆଇଆଇସି ରଶ୍ମିତା ପ୍ରଧାନ, ଧାରମବନ୍ଧା ଆଇଆଇସି ସୂର୍ଯ୍ୟକାନ୍ତି ଦାଶ, ସିନାପାଲି ଆଇଆଇଆସି ମହେଶ୍ୱର ପାଣିଗ୍ରାହୀ , ବୋଡ଼େନ ଆଇଆଇସି ଧର୍ମେନ୍ଦ୍ର ଭୁଏ, ବେଲଟୁକରି ଆଇଆଇସି ରଞ୍ଜନ କୁମାର ନାୟକ ଓ ଲଖନା ଆଇଆଇସି ଅସୀମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଆଜି ନୂଆପଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ “ମୋବାଇଲ୍ ରିଟର୍ନ ମେଳା–୩.୦, ୨୦୨୬” ଆୟୋଜିତ ହୋଇଥିଲା। ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ସମୟୋପଯୋଗୀ ସେବାକୁ ଗୁରୁତ୍ୱ ଦେଇ ଉଦ୍ଧାର ହୋଇଥିବା ସମସ୍ତ ମୋବାଇଲ୍ ଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଥିଲା। ନିଜ ହଜିଯାଇଥିବା ମୋବାଇଲ୍ ଫେରି ପାଇ ଉପଭୋକ୍ତାମାନଙ୍କ ମୁହଁରେ ଖୁସିର ହସ ଫୁଟିଉଠିଥିଲା।
ଏହି ସମ୍ପୂର୍ଣ୍ଣ ଅଭିଯାନ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଆମ୍ରିତ ପାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହ ପରିଚାଳିତ ହୋଇଥିଲା। ଜିଲ୍ଲାର ସମସ୍ତ ଥାନାର ଆଇଆଇସିମାନେ ମୋବାଇଲ୍ ଟ୍ରାକିଂ ଓ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିଲେ।