98
ଶିବିର ସହିତ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଉତ୍ସାହର ସହ ରକ୍ତଦାତାମାନେ ଅଂଶଗ୍ରହଣ କରି ୩୮ ୟୁନିଟ୍ ରକ୍ତ ଦାନ କରିଥିଲେ। ବ୍ରହ୍ମାକୁମାରୀ ଅନୁଷ୍ଠାନର ଭଉଣୀ ଅଞ୍ଜଳି, ଭଉଣୀ ଅନିତା, ଅଶୋକ ନାୟକ, ବିଶିଷ୍ଟ ରକ୍ତଦାତା କିଶୋର କୁମାର ପରିଡ଼ା ଓ ସମାଜସେବୀ ରଚନା ଜୈନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ।
Table of Contents
ନୂଆପଡ଼ା -୨୬/୮- ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଏକ ବ୍ୟାପକ ଆଇନ ସଚେତନତା ଶିବିର ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆଇନ ସମ୍ପର୍କିତ ଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ସହଜ ଓ ସରଳ ଭାଷାରେ ପହଞ୍ଚାଇବା ସହ ନ୍ୟାୟିକ ବ୍ୟବସ୍ଥାରେ ଆଧୁନିକ ପ୍ରଯୁକ୍ତିର ଭୂମିକା ନେଇ ଏହି ଶିବିରରେ ଆଲୋଚନା କରାଯାଇଥିଲା।
ଶିବିରରେ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ସୁପ୍ରିମକୋର୍ଟର ‘ସୁଭାଷ’ ସଫ୍ଟୱେୟାର ମାଧ୍ୟମରେ ଇଂରାଜୀ ଭାଷାରେ ଥିବା ସୁପ୍ରିମକୋର୍ଟଙ୍କ ରାୟଗୁଡ଼ିକୁ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ବିଷୟରେ ବିସ୍ତୃତ ସଚେତନତା କରାଯାଇଥିଲା।ଏଥିସହ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୫, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ଆଇନ, ୨୦୦୭, ଦେୱାନୀ ପ୍ରଣାଳୀରେ ମଧ୍ୟସ୍ଥତା ଆଇନ, ୨୦୦୭ ଏବଂ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ କୌଶଳ ଆଇନ, ୧୯୯୪ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ଅବସରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଡିଏଲ୍ଏସ୍ଏ ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଏସ୍ଡିଜେଏମ୍ ସ୍ନାତକି ଦାଶ, ବିଚାର ବିଭାଗୀୟ ଦଣ୍ଡାଧିକାରୀ କାହ୍ନୁ କିସ୍କୁଙ୍କ ସମେତ ବିଭିନ୍ନ ନ୍ୟାୟିକ ଅଧିକାରୀ ଯୋଗଦେଇଥିଲେ।
ସେହିପରି ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅନିଲ କୁମାର ତାଣ୍ଡି, ୨୧୬ ସିଆରପିଏଫ୍ ବାଟାଲିୟନର କମାଣ୍ଡାଣ୍ଟ କୁଲଦୀପ ଜୈନ, ୧୯ ସିଆରପିଏଫ୍ ବାଟାଲିୟନର ଉପ କମାଣ୍ଡାଣ୍ଟ ଅନିଲ ପ୍ରସାଦ ୟେଡଲା, ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପାଢ଼ୀ, ସେଟରାମ ଦେୱାଙ୍ଗନ, ତ୍ରିଲୋକ ଚନ୍ଦ ସୋନୀ, ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି ଓ ଅଧିକାର ମିତ୍ରମାନେ ଯୋଗଦେଇ ବିଭିନ୍ନ ଆଇନଗତ ବିଷୟ ଉପରେ ମତବିନିମୟ କରିଥିଲେ।
ଅନ୍ୟପକ୍ଷରେ, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ବିଦ୍ୟାଧର ନାଗ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଲିଙ୍ଗ ନିରୂପଣ ଆଇନ ଓ ଏହାର ଆଇନଗତ ପରିଣାମ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସଚେତନ କରିଥିଲେ।
ସଭା ଶେଷରେ ନୂଆପଡ଼ା ବ୍ରହ୍ମାକୁମାରୀ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ଦ୍ୱାରା ‘ନିଶାମୁକ୍ତ ଭାରତ’ ଗଠନ ପାଇଁ ଶପଥପାଠ କରାଯାଇଥିଲା। ଆଇନ ସଚେତନତା, ରକ୍ତଦାନ ଓ ନିଶାମୁକ୍ତିର ବାର୍ତ୍ତାକୁ ଏକାଠି କରି ଆୟୋଜିତ ଏହି କାର୍ଯ୍ୟକ୍ରମ ସମାଜ ପାଇଁ ଏକ ସଚେତନତାମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।