ନୂଆପଡ଼ା -୨୫/୭ (ସୁରେନ୍ଦ୍ର ତିୱାରୀ) ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ କୋମନା ବ୍ଲକ୍ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଜଣେ ଅଣ ଆଦିବାସୀ ଛାତ୍ର ଆତ୍ମହତ୍ୟା ଘଟଣାରେ ଜିଲା ପ୍ରଶାସନ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଅନ୍ୟତ୍ର ବଦଳିକରି ତାଙ୍କ ଦାୟିତ୍ୱ ସାରିଦେଇଛନ୍ତି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ଛାତ୍ରଙ୍କ ବାପା କୋମନା ଥାନାରେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ଜିଲ୍ଲା ପ୍ରଶାସନର ଗୁରୁତର ଅବହେଳାକୁ ବିଚାର କରି ଚଳିତ ମାସ ୩୦ ଜୁଲାଇ ୨୦୨୫ ତାରିଖରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବ ବୋଲି ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି ବାଳକୃଷ୍ଣ ଶବର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ୧୬ ତାରିଖ ରାତିରେ ସାହାଜଟ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିବା ଅଣ ଆଦିବାସୀ ଛାତ୍ର ଅଶ୍ୱିନୀ ଦାସ ବନଛୋର (୧୫) ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥଲା। ଜଣେ ଅଣ ଆଦିବାସୀ ଛାତ୍ର ଆଦିବାସୀ ଛାତ୍ରାବାସରେ ରହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିପରି ଜାଣିପାରିଲେ ନାହିଁ ? ବୋଲି ଜିଲା ଆଦିବାସୀ କଲ୍ୟାଣ ସଂଘ ପ୍ରଶ୍ନକରି ଜବାବ ରଖିବାକୁ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଜିଲା ଆଦିବାସୀ କଲ୍ୟାଣ ସଂଘ ଜିଲା ସଭାପତି ଭାନୁପ୍ରତାପ ସିଂ ମାଝି, ସମ୍ପାଦକ ଭକ୍ତବନ୍ଧୁ ଧରୁଆ, ଉପସଭାପତି କମଲେଶ ଠାକୁର, କାର୍ତ୍ତିକେଶ୍ୱର ମଲ୍ଲିକ, ଜୟରାମ ଶବର, ବୋଡେନ ବ୍ଲକ ସଭାପତି ଭୁବନେଶ୍ୱର ମାଝି, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝି, ଚୈତୁ ମାଝି, ସୁଶୀଲ ଶବର ପ୍ରମୁଖ ଉପସ୍ଥିତ ଥିଲେ।
ଆଶ୍ରମ ବିଦ୍ୟାଳୟରେ ଛାତ୍ର ଆତ୍ମହତ୍ୟା ଘଟଣା: ୩୦ ଜୁଲାଇ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ।
178