
ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ)
ଛାତ୍ରଛାତ୍ରୀ ଙ୍କୁ ବିଳମ୍ୱରେ ମଧ୍ୟାହ୍ନ ଭୋଜନ ଦେବାକୁ ନେଇ ଆଜି ସ୍କୁଲରେ ଅବିଭାବକମାନେ ବିରୋଧ କରିଛନ୍ତି । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଜୁନାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଏକ ପରିଚାଳନା କମିଟି ବୈଠକ ଡାକିଥିଲେ ପ୍ରଧାନ ଶିକ୍ଷକ ସଦାଶିବ ମହାପାତ୍ର। କମିଟି ସଭାପତି ଓ ସଦସ୍ୟ,ସଦସ୍ୟା ସ୍କୁଲରେ ଅପରାହ୍ନ ଦୁଇ ଘଣ୍ଟାରେ ପହଞ୍ଚି ଥିଲେ। ପ୍ରଧାନ ଶିକ୍ଷକ କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ସ୍କୁଲ ଆସି ନଥିଲେ। ଏହି ସମୟରେ ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ନଥିବା ଅଭିଯୋଗ କରିଥିଲେ। ଏସଏମସି ସଦସ୍ୟ ମାନେ ଏନେଇ ତଦନ୍ତ କରିବାରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେଇଥିବା ବେଳେ ଚତୁର୍ଥ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦେଇ ନଥିବା ଜାଣି ପାରିଥିଲେ। କାରଣ ଭାତ ରନ୍ଧା ସରିଥିଲେ ମଧ୍ୟ ପନିପରିବା ନଥିବାରୁ ତରକାରୀ ରନ୍ଧା ଯାଇ ନଥିଲା। ଗତକାଲି ଯେହେତୁ ବୁଧବାର ନିୟମ ଅନୁସାରେ ଅଣ୍ଡା ଦେବା କଥା ସେଇଟା ମଧ୍ୟ ରନ୍ଧା ଯାଇ ନଥିଲା। ଏସଏମସି ସଦସ୍ୟ ଓ ଅବିଭାବକ ଏନେଇ ପ୍ରଧାନ ଶିକ୍ଷକଙ୍କୁ ଫୋନ୍ କରିବାରୁ ଛୁଟିରେ ଥିବା କହିଥିଲେ। ପରେ ଅଳ୍ପ ପନିପରିବା ଧରି ସେ ସ୍କୁଲ ଆସିଥିଲେ। ସେହି ସମୟରେ ଦୁଇଟା ତିରିଶ ହୋଇ ଯାଇଥିବାରୁ ସମସ୍ତେ ଏନେଇ ଅସନ୍ତୋଷ ଜାହିର କରି ବିରୋଧ କରିଥଲେ। ପ୍ରତ୍ୟେକ ଦିନ ଏପରି ଅବ୍ୟବସ୍ଥା ହେଉଥିବା ନେଇ ସ୍କୁଲ୍ କମିଟି ସଦସ୍ୟ, ଅବିଭାବକ ଓ ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି। ଏପରିକି ପ୍ରଧାନ ଶିକ୍ଷକ ଇଚ୍ଛାନୁସାରେ ସ୍କୁଲ ଆସୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ୧୧୦ ଜଣ ଛାତ୍ରଛାତ୍ରୀ ଥିବାବେଳେ ଗତକାଲି ୭୬ ଜଣ ଛାତ୍ର ଛାତ୍ରୀ ଆସିଥିଲେ। ପରେ ପ୍ରାୟ ସାଢେ଼ ତିନି ଟାରେ ମଧ୍ୟାହ୍ନ ଭୋଜନ ଦିଆ ଯାଇଥିଲା। ଏନେଇ ପ୍ରଧାନ ଶିକ୍ଷକ ସଦାଶିବ ମହାପାତ୍ରଙ୍କୁ ପଚାରିବାରୁ ଆଜି ଅନ୍ୟ ଜଣେ ଶିକ୍ଷକଙ୍କୁ ସେ ଦାୟିତ୍ଵ ଦେଇଥିଲେ ତାଙ୍କ ଅବହେଳା ପାଇଁ କିଛି ସମୟ ବିଳମ୍ବ ହୋଇଥିବା କହିଥିଲେ କିନ୍ତୁ ସବୁଦିନ ଠିକ୍ ସମୟରେ ଓ ନିୟମ ଅନୁସାରେ ମଧ୍ୟାହ୍ନ ଭୋଜନ ଦିଆ ଯାଉଥିବା ପ୍ରକାଶ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଏଭଳି ଅବହେଳା ପ୍ରତି ଦୃଷ୍ଟି ଦେଇ ଦୋଷୀଙ୍କ ବିରୁଦ୍ଧରେ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଖଡ଼ିଆଳ ବ୍ଲକ: ମଧ୍ୟାହ୍ନ ଭୋଜନ ବିଳମ୍ବ ନେଇ ଅଭିଭାବକ ମହଲରେ କ୍ଷୋଭ ଓ ଅସନ୍ତୋଷ
160