43
ନୂଆପଡ଼ା -୮/୭- ସମାଜର ଦୁର୍ବଳ ବର୍ଗଙ୍କ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଖଡ଼ିଆଳ ବ୍ଲକରେ ଆଜି ଏକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି। ନୂତନ ଭାବେ ଚୟନ ହୋଇଥିବା ୩୭୭ ଜଣ ବୃଦ୍ଧ, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀଙ୍କୁ ସରକାରୀ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ହିତାଧିକାରୀଙ୍କ ମୁହଁରେ ଖୁସିର ଝଲକ ଦେଖିବାକୁ ମିଳିଛି।
ଖଡ଼ିଆଳ ବ୍ଲକ ସଭାଗୃହ ପରିସରରେ ଆୟୋଜିତ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଡିଓ ମିଲନ କୁମାର ଝାଙ୍କର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗଦେଇ ହିତାଧିକାରୀଙ୍କ ହାତରେ ଭତ୍ତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା, ତନୟା ଶବର ଏବଂ ବିଏସଏସଓ କୁମର ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଭତ୍ତା ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।
ମୋଟ ୩୭୭ ଜଣ ନୂତନ ହିତାଧିକାରୀଙ୍କ ମଧ୍ୟରୁ ୨୨୪ ଜଣଙ୍କୁ ମଞ୍ଚରେ ସିଧାସଳଖ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ୧୧୫ ଜଣଙ୍କୁ ପାସବୁକ୍ ମାଧ୍ୟମରେ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ତାଲିକାରେ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀମାନେ ସାମିଲ ରହିଥିଲେ। ଭତ୍ତା ପାଇବା ପରେ ହିତାଧିକାରୀମାନେ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ଖୁସି ବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ ଯେ, ସରକାର ସମାଜର ଦୁର୍ବଳ ବର୍ଗଙ୍କ କଲ୍ୟାଣ ପାଇଁ ସଦା ପ୍ରତିଶ୍ରୁତିବଦ୍ଧ। ଯୋଗ୍ୟ ହିତାଧିକାରୀମାନେ କୌଣସି ପ୍ରକାର ହଇରାଣ ନହୋଇ ସହଜରେ ସରକାରୀ ଭତ୍ତା ପାଇପାରିବେ, ସେଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିବ।
କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଦସ୍ୟ, ବ୍ଲକ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ଉପସ୍ଥିତି ଏହାକୁ ଆହୁରି ସଫଳ ଓ ସୁସଂଗଠିତ କରିଥିଲା।