38

ନୂଆପଡ଼ା -୦୮/୦୭- ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନର ବିକାଶ, ଆତ୍ମବିଶ୍ୱାସ ବୃଦ୍ଧି ଏବଂ ସୁସ୍ଥ ପ୍ରତିଯୋଗିତାର ମନୋଭାବ ସୃଷ୍ଟି ଉଦ୍ଦେଶ୍ୟରେ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍.ଏମ. ପକ୍ଷରୁ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଆକର୍ଷଣୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବେଶ୍ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ଜ୍ଞାନ ଓ ପ୍ରତିଭାର ପରିଚୟ ଦେଇଥିଲେ।
ଶିକ୍ଷକ ବୈଷ୍ଣବ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରେଡିଓ ସ୍ୱର ସଙ୍ଗମର ପରିଚାଳକ ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ଏବଂ ଡାଟା ଅପରେଟର ଲିଙ୍ଗରାଜ ଜଗତ ସୁଚାରୁ ଭାବେ ପରିଚାଳନା କରିଥିଲେ।
ପ୍ରତିଯୋଗିତାରେ ଅର୍ଜୁନ ଦଳର ଡଲି ବାଗ, ନିରୁପମା ମଶ୍ରା ଓ ଦିଲ୍ଲୀପ ମଶ୍ରା ପ୍ରଥମ ସ୍ଥାନ, ସୁନ୍ଦର ଦଳର ଆରୋହୀ ନିଆଲ, ସଙ୍ଘମିତ୍ରା ନାୟକ ଓ ବନିତା ମଶ୍ରା ଦ୍ୱିତୀୟ ସ୍ଥାନ ଏବଂ ଉଦନ୍ତୀ ଦଳର ଲୁକ୍ତା ବଛା, ସୋଫି ହଂସ ଓ ଗୁଣଧର ବାଗ ତୃତୀୟ ସ୍ଥାନ ଅଧିକାର କରି ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ।
ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀ, ବରିଷ୍ଠ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଶୀ, ଶିକ୍ଷକ ଉଗ୍ରେସନ ହଂସ ଏବଂ ଶିକ୍ଷୟିତ୍ରୀ ସୁମିତ୍ରା ମେହେର ବିଜେତା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଆକର୍ଷଣୀୟ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ଏପରି ଶିକ୍ଷାମୂଳକ ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ଜ୍ଞାନ ବୃଦ୍ଧି ସହ ସେମାନଙ୍କ ମନରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବ ବୋଲି ଉପସ୍ଥିତ ଶିକ୍ଷକମାନେ ମତ ପ୍ରକାଶ କରିଥିଲେ।