77
ନୂଆପଡ଼ା -୦୧/୧୦- ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ପକ୍ଷରୁ ନିଶାମୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଶାର କୁପ୍ରଭାବ ଏବଂ ଯୁବପିଢ଼ିଙ୍କ ଭୂମିକା ନେଇ ବ୍ୟାପକ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଖଡ଼ିଆଳର ସୁନାମଧନ୍ୟ କ୍ରୀଡ଼ାବିତ ଛବିଲାଲ ସାଗର ଅତିଥି ଭାବେ ଯୋଗଦେଇ ଯୁବପିଢ଼ି ପାଇଁ ଏକ ନିଶାମୁକ୍ତ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ି ଉପରେ ସମାଜ ଓ ଦେଶର ଭବିଷ୍ୟତ ନିର୍ଭର କରୁଥିବାରୁ ସେମାନଙ୍କୁ ନିଶାଠାରୁ ଦୂରେ ରଖିବା ଏକ ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଡା. ସରୋଜ କୁମାର ପଣ୍ଡା ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ବୋଲି ଉଲ୍ଲେଖ କରି ଏକ ସୁସ୍ଥ ଜୀବନ ପାଇଁ ନିଶାମୁକ୍ତି ପଦକ୍ଷେପର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। ବିଶେଷକରି ଯୁବସମାଜ ନିଶାଠାରୁ ଦୂରେ ରହି ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା, ଛାତ୍ର କଲ୍ୟାଣ ଅଧିକାରୀ ଡା. ଗୀତାଶ୍ରୀ ପ୍ରିୟମ୍ବଦା, NCC ଅଧିକାରୀ କ୍ୟାପଟେନ୍ ଡା. ବିଷ୍ଣୁ ଦେବ ସିଂ ମଲ୍ଲିକ, NSS (ଯୁଗ୍ମ) ଅଧିକାରୀ ଅଧ୍ୟାପିକା ପ୍ରଣତି ପଣ୍ଡା, ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ସୁନୀଲ କୁମାର ପାଢ଼ୀ, ଅଧ୍ୟାପକ ବିବେକ ସାହୁ, ସଦାନନ୍ଦ ସତନାମୀ, ହରିବନ୍ଧୁ ହଂସ, ଅଧ୍ୟାପିକା ସୁଶ୍ରୀ ପଟ୍ଟନାୟକ, ଅଧ୍ୟାପକ ଅଜିତେଶ ପାଢ଼ୀଙ୍କ ସମେତ ଅନ୍ୟ ଅଧ୍ୟାପକ-ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ନିଶାମୁକ୍ତ ସୁସ୍ଥ ସମାଜ ଗଠନ ପାଇଁ ଶପଥ ପାଠ। ଅଧ୍ୟକ୍ଷଙ୍କ ସହଯୋଗରେ ଶତାଧିକ ଛାତ୍ରଛାତ୍ରୀ, NCC ସ୍ୱେଚ୍ଛାସେବୀ, NSS ସ୍ୱେଚ୍ଛାସେବୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନେ ସାମୂହିକ ଭାବେ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ନେଇଥିଲେ।
ପରେ ମହାବିଦ୍ୟାଳୟ ପରିସରରୁ ନିକଟସ୍ଥ ମୁକ୍ତାପୁର ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ଲୋକଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିଥିଲେ। ଏହି ପଦଯାତ୍ରା ମାଧ୍ୟମରେ ନିଶାମୁକ୍ତ ପରିବାର, ନିଶାମୁକ୍ତ ଯୁବସମାଜ ଓ ସୁସ୍ଥ ସମାଜ ଗଠନର ବାର୍ତ୍ତା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଖଡ଼ିଆଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଶେଷରେ NSS ଅଧିକାରୀ ପ୍ରଣତି ପଣ୍ଡା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।