ନୂଆପଡ଼ା -୧୯/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଯୁଗ୍ମ ନିର୍ଦ୍ଦେଶକ ନ୍ୟୁଟ୍ରିସନ ଡଃ ସ୍ମୃତିଜିତ୍ ପଟ୍ଟନାୟକ, କ୍ୱାଲିଟି କନ୍ସୁଲ୍ଟାଣ୍ଟ ଅବନୀ ବାବୁ, ଏ ଡି ପି ଏଚ ଓ – ଡଃ ଗୁରୁପ୍ରସାଦ ଜେନା, ଡଃ ଲଲିତ ମୋହନ ବିଶି, ଡଃ ଉମାକାନ୍ତ ମେହେର, ଡଃ ବିଦ୍ୟାଧର ନାଗ, ଡଃ ତନ୍ମୟ ତ୍ରିପାଠୀ , ଡି ପି ଏମ୍ ସତ୍ୟନାରାୟଣ ତ୍ରିପାଠୀ ,ବିଭିନ୍ନ ଡ଼ାକ୍ତରଖାନା ମୁଖ୍ୟ , ବ୍ଲକ୍ ସ୍ତରୀୟ ପ୍ରବନ୍ଧକ,ଜିଲ୍ଳା ସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ସମସ୍ତଙ୍କୁ ସ୍ୱାଗତ କରି ଜିଲ୍ଲାପାଳ କହିଲେ ଯେ ଉପଲବ୍ଧ ସମ୍ବଳର ସଦ୍ ବିନିଯୋଗ କରି ଆମକୁ ଜନ ସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ପଡିବ l ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଳା ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ସୂଚନା ଉପସ୍ଥାପିତ କରା ଯାଇଥିଲା ।
ଏବର୍ଷ ଏପ୍ରିଲ୍ ରୁ ଅଗଷ୍ଟ ମଧ୍ୟରେ ଜିଲ୍ଲାରେ ୧୧୦ ଜଣ ଶିଶୁ ମୃତ୍ୟୁ ହୋଇଛି l ଏହି ସମୟରେ ୫୭୪୭ ଜଣ ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଛି l ୫୫୨ ଜଣ ଅଢେଇ କେଜି ରୁ କମ୍ ଓଜନର ଶିଶୁ ଜନ୍ମ ହୋଇଛନ୍ତି l ଜିଲ୍ଲାପାଳ କହିଲେ ଯେ ଜିଲ୍ଳାରେ ମାତୃ ଓ ଶିଶୁ ମୃତ୍ୟୁହାର ଶୂନ୍ୟ କରିବା ପାଇଁ ସ୍ବାସ୍ଥ୍ୟ ଓ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳିତ ଭାବରେ ଉଦ୍ୟମ କରିବେ l ପ୍ରତି ମାସରେ ଶାଶୁ ବୋହୂ ମେଳା ଆୟୋଜନ କରି ସେମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କଲେ ଗର୍ଭବତୀ ଓ ପ୍ରସୂତୀ ମା ମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ l ମା ପେଟରେ ଛୁଆ କେବେ ମରିବ ନାହିଁ l ନୂଆପଡା ଜିଲ୍ଲାରେ ସେକ୍ସ ରେସିଓ ୯୭୩ ଅଛି ଯାହାକି ରାଜ୍ୟର ରେସିଓ ୯୩୪ ଠାରୁ ଅଧିକ l ଡାକ୍ତରଖାନାର ସ୍ଵଚ୍ଛତା ଓ ପରିମଳ ଉପରେ ବିଶେଷ ଗୁରୁତ୍ବ ଦିଆଗଲା l ସମସ୍ତ ଚିକିତ୍ସାଳୟରେ ମ୍ୟୁଜିକ ଥେରାପି ପ୍ରଚଳନ କରାଯିବ l ଅମ୍ଳାନ ଯୋଜନାରେ ସମସ୍ତ କିଶୋରୀ ଓ ଗର୍ଭବତୀଙ୍କର ରକ୍ତ ହୀନତା ଦୂର କରାଯିବ l ଯେତେ ରୋଗୀ ଏବଂ ସେମାନଙ୍କ ପରିଜନ ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି ସେମାନେ ଆରୋଗ୍ଯ ହେବା ସହ ଏକ ଭଲ ଅନୁଭୂତି ନେଇ ଘରକୁ ଫେରନ୍ତୁ l ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରତି ପାରାମିଟରରେ ନୂଆପଡା ଜିଲ୍ଲା ରାଜ୍ୟରେ ପ୍ରଥମ ହେବାପାଇଁ ବିଭାଗ ପ୍ରଚେଷ୍ଟା କରୁ ।