81
ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ବର୍ଜ୍ୟ ପରିଚାଳନା ଓ ସ୍ୱଚ୍ଛତାମୂଳକ ପଦକ୍ଷେପକୁ ଉପାଧ୍ୟକ୍ଷ ଶ୍ରୀ ବିହାରୀ ପ୍ରଶଂସା କରିଥିଲେ। ବିଶେଷକରି ଜିଲ୍ଲାର ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ମୁକ୍ତ’ ଅଭିଯାନକୁ ସେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଅଭିହିତ କରିଥିଲେ।ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ହ୍ରାସ, ଉତ୍ସସ୍ଥଳରେ ବର୍ଜ୍ୟ ପୃଥକୀକରଣ, ସ୍ୱଚ୍ଛତା ପ୍ରତି ଜନସଚେତନତା ଏବଂ ସମୁଦାୟର ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ନୂଆପଡ଼ା ପ୍ରଶାସନ ଗଢ଼ି ତୋଳୁଥିବା ସ୍ୱଚ୍ଛତାର ନୂତନ ମଡେଲକୁ ସେ ପ୍ରଶଂସା କରିଥିଲେ। “ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ସାମୂହିକ ଦାୟିତ୍ୱ” ବୋଲି ସେ ମତ ପ୍ରକାଶ କରିଥିଲେ।
Table of Contents
ନୂଆପଡ଼ା -୧୨/୦୯- ନୂଆପଡ଼ା ଜିଲ୍ଲାରେ ସଫେଇ କର୍ମଚାରୀଙ୍କ କଲ୍ୟାଣ, ସୁରକ୍ଷା, ନିୟମିତ ପାରିଶ୍ରମିକ ପ୍ରଦାନ ଏବଂ ସ୍ୱଚ୍ଛତା ବ୍ୟବସ୍ଥାର ସମୀକ୍ଷା ନିମନ୍ତେ ଜାତୀୟ ସଫେଇ କର୍ମଚାରୀ କମିଶନର ଉପାଧ୍ୟକ୍ଷ କୈସନ ବିହାରୀ ନୂଆପଡ଼ା ଗସ୍ତ କରିଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପ୍ରାୟ ୩୫ ଜଣ ସଫେଇ କର୍ମଚାରୀ ଉପସ୍ଥିତ ରହି ନିଜ କାର୍ଯ୍ୟାନୁଭୂତି, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଉପାଧ୍ୟକ୍ଷ ଶ୍ରୀ ବିହାରୀ ସଫେଇ କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ କାର୍ଯ୍ୟସ୍ଥଳୀୟ ସମସ୍ୟା, ସୁରକ୍ଷା ଓ କଲ୍ୟାଣ ସମ୍ପର୍କିତ ବିଷୟରେ ସୂଚନା ନେଇଥିଲେ।
ଜିଲ୍ଲାପାଳ ମଧୁସୂଦନ ଦାଶ ସଫେଇ କର୍ମଚାରୀମାନେ ସହର ଓ ଗ୍ରାମାଞ୍ଚଳର ସ୍ୱଚ୍ଛତା ବ୍ୟବସ୍ଥାର ମେରୁଦଣ୍ଡ ବୋଲି ଉଲ୍ଲେଖ କରି ସେମାନଙ୍କ ସମ୍ମାନ, ସୁରକ୍ଷା ଓ ସାମାଜିକ ମର୍ଯ୍ୟାଦା ପ୍ରତି ଜିଲ୍ଲା ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ସଫେଇ କର୍ମଚାରୀଙ୍କୁ ନିୟମିତ ପାରିଶ୍ରମିକ ସହ କାର୍ଯ୍ୟସ୍ଥଳରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ସୁରକ୍ଷା ସାମଗ୍ରୀ ଓ ମାନବିକ କାର୍ଯ୍ୟପରିବେଶ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟପକ୍ଷରେ, ଉପାଧ୍ୟକ୍ଷ କୈସନ ବିହାରୀ ସଫେଇ କର୍ମଚାରୀଙ୍କ ସୁରକ୍ଷା ଓ ଅଧିକାରକୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇଦେବାକୁ ଆଶ୍ୱାସନ ଦେଇଥିଲେ।
ଜିଲ୍ଲା ପ୍ରଶାସନର ‘Minimum Enforcement, Maximum Sensitization’ ଆଭିମୁଖ୍ୟ ଅନୁସାରେ ସଚେତନତା, ଜନସହଭାଗିତା ଓ ସମୁଦାୟର ମାଲିକାନା ଭାବନାକୁ ଗୁରୁତ୍ୱ ଦିଆଯାଉଥିବାରୁ ସ୍ୱଚ୍ଛତା ଅଭିଯାନ ଅଧିକ ପ୍ରଭାବଶାଳୀ ହୋଇପାରିଛି ବୋଲି ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, କାର୍ଯ୍ୟକ୍ରମ ସଂଯୋଜକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରାକର, ଜିଲ୍ଲାର ବିଭିନ୍ନ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ନୂଆପଡ଼ା ବିଡିଓ ରୋହିତ ଭୋଇ, ସମସ୍ତ ସାନିଟେସନ୍ ଏକ୍ସପର୍ଟ ଓ ବିଆର୍ସି ନୂଆପଡ଼ା ଉପସ୍ଥିତ ଥିଲେ।
ଶେଷରେ ନୂଆପଡ଼ା ବିଡିଓ ଶ୍ରୀ ରୋହିତ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେଇ ନୂଆପଡ଼ା ପ୍ରଶାସନର ପ୍ରୟାସ ଏହି ସମୀକ୍ଷା ବୈଠକରେ ବିଶେଷ ଗୁରୁତ୍ୱ ଲାଭ କରିଥିଲା।