54
Table of Contents
ନୂଆପଡ଼ା -୦୧/୦୯- ନୂଆପଡ଼ା ଜିଲ୍ଲାର ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ମଙ୍ଗଳବାର ନିଜର ନୂତନ ବିଦ୍ୟାଳୟ ଭବନକୁ ସ୍ଥାନାନ୍ତରିତ ହୋଇଛି। ଏହି ଐତିହାସିକ ଅବସରରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଓ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ତଥା କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତ ଓ ଅନୁକୂଳ ଶିକ୍ଷା ପରିବେଶ ସୃଷ୍ଟି କରିବା ସହ ସେମାନଙ୍କ ନୂଆ ଆଶା ଓ ଆକାଂକ୍ଷା ପୂରଣରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।
ଜିଲ୍ଲାପାଳ କହିଥିଲେ ଯେ, ନୂଆପଡ଼ା ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏକ ଐତିହାସିକ ପଦକ୍ଷେପ। ଏହାର ନୂତନ ଭବନକୁ ସ୍ଥାନାନ୍ତରଣ ଜିଲ୍ଲାବାସୀଙ୍କ ପାଇଁ ଆଉ ଏକ ଗର୍ବର ବିଷୟ। ଚଳିତ ବର୍ଷ ଜାନୁଆରୀ ୨ ତାରିଖରେ ନୂଆପଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ନୂତନ କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିବା ବେଳେ, ସେପ୍ଟେମ୍ବର ୧ ତାରିଖରେ ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନକୁ ସ୍ଥାନାନ୍ତରଣ ନିଶ୍ଚିତ ଭାବେ ଆନନ୍ଦ ଓ ଗର୍ବର ମୁହୂର୍ତ୍ତ ବୋଲି ସେ କହିଥିଲେ।ଅତିଥିମାନେ ମତ ଦେଇଥିଲେ ଯେ, ନୂତନ ବିଦ୍ୟାଳୟ ଭବନରେ ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା, ଆଧୁନିକ ଭିତ୍ତିଭୂମି ଓ ଆବଶ୍ୟକ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ହେବା ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ଓ ଉତ୍ସାହ ଆହୁରି ବୃଦ୍ଧି ପାଇବ।
କାର୍ଯ୍ୟକ୍ରମ ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ କରାଇଥିଲେ। ପରିଚାଳନା କମିଟିର ନର୍ସିଙ୍ଗ ଗଡ଼ବା, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା, ବରିଷ୍ଠ ସାମ୍ବାଦିକ ତପନ ଦାସଙ୍କ ସମେତ ବିଭିନ୍ନ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।