57
ନୂଆପଡ଼ା -୨୨/୬ – ନୂଆପଡ଼ା ଜିଲ୍ଲା ଖରିଆର ରୋଡ ସହର ର ସାହିତ୍ୟ ଓ ସଂସ୍କୃତି ର ପରିବେଶ ରେ ରବିବାର ସନ୍ଧ୍ୟା ଏକ ସ୍ମରଣୀୟ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ସ୍ଥାନୀୟ ଗଣପତି ପ୍ୟାଲେସ୍ ପ୍ରାଙ୍ଗଣରେ ବିଶିଷ୍ଟ କବୟିତ୍ରୀ ଓ ସମାଜସେବୀ ପ୍ରମିଳା ଶର୍ମାଙ୍କ ରଚିତ ପ୍ରଥମ ହିନ୍ଦୀ କାବ୍ୟ ସଂକଳନ ‘ମେଁ କୌନ୍ ହୁଁ’ (ମୁଁ କିଏ) ର ଭବ୍ୟ ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା।
ଏହି ସାରସ୍ୱତ ସମାରୋହ ରେ ଜିଲ୍ଲା ର ବିଶିଷ୍ଟ ବ୍ୟକ୍ତିତ୍ୱ, ସାହିତ୍ୟପ୍ରେମୀ, ସମାଜସେବୀ ଓ ବୁଦ୍ଧିଜୀବୀମାନଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ଆହୁରି ଜୀବନ୍ତ କରିଥିଲା।
ସମ୍ମାନିତ ଅତିଥି ଭାବେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଏନଏସି ଅଧକ୍ଷା ଡା. ସୋନିଆ ଜୈନ, ଜିଲ୍ଲାପାଳ ଙ୍କ ଧର୍ମପତ୍ନୀ ତୃପ୍ତି ଦାସ, ମାରୱାଡ଼ି ଯୁବ ମଞ୍ଚର ପୂର୍ବତନ ପ୍ରାଦେଶିକ ସଭାପତି ମଧୁସୂଦନ ଶର୍ମା ଏବଂ ବରିଷ୍ଠ ବ୍ୟବସାୟୀ ଘନଶ୍ୟାମ ଶର୍ମା ପ୍ରମୁଖ ମଞ୍ଚାସୀନ ରହି କବୟିତ୍ରୀଙ୍କ ସାହିତ୍ୟ ସାଧନା ଓ ସାମାଜିକ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ କାଉନସିଲର ତଥା କବୟିତ୍ରୀ ଙ୍କ ଜ୍ୟେଷ୍ଠ ପୁତ୍ର ସନ୍ଦୀପ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରି ଆଗତ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ମାତୃଶକ୍ତି, ସାହିତ୍ୟ ଓ ସମାଜସେବାର ସମନ୍ୱୟ ଭାବେ ପ୍ରମିଳା ଶର୍ମାଙ୍କ ବ୍ୟକ୍ତିତ୍ୱକୁ ବର୍ଣ୍ଣନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, କବୟିତ୍ରୀ ପ୍ରମିଳା ଶର୍ମାଙ୍କ ସାହିତ୍ୟ ସାଧନା ୧୯୯୦-୯୧ ମସିହାରୁ ଆରମ୍ଭ ହୋଇଥିଲା। ସାହିତ୍ୟ ସହିତ ସେ ନାରୀ ସଶକ୍ତୀକରଣ ଓ ମହିଳାଙ୍କ ଉତ୍ଥାନ କ୍ଷେତ୍ରରେ ମଧ୍ୟ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ମାର୍ଗଦର୍ଶନରେ ‘ଏକତା ମହିଳା ମଣ୍ଡଳ’ ଗଠନ ହୋଇଥିଲା, ଯାହା ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଚେତନ କରିବାରେ ସହାୟକ ହୋଇଛି। ଖରିଆର ରୋଡ୍ ଭଳି ଏକ ଛୋଟ ସହରରୁ ଆରମ୍ଭ ହୋଇଥିବା ତାଙ୍କର କାବ୍ୟିକ ଯାତ୍ରା ଆଜି ରାୟପୁର, ଭୋପାଳ, ଇନ୍ଦୋର, ବାରାଣସୀ, ମୁମ୍ବାଇ ଏବଂ ଯୋଧପୁର ଭଳି ଦେଶର ପ୍ରମୁଖ ସହରଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଏହା କେବଳ ପ୍ରମିଳା ଶର୍ମାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମଗ୍ର ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ।
ଶେଷରେ ପ୍ରସିଦ୍ଧ କବି ରାକେଶ ଜୈନ ତାଙ୍କର ଆକର୍ଷଣୀୟ ଓ ଚମତ୍କାର ମଞ୍ଚ ସଞ୍ଚାଳନ ମାଧ୍ୟମରେ ସମଗ୍ର ପରିବେଶକୁ ସାହିତ୍ୟିକ ରସରେ ଭରିଦେଇଥିଲେ। ଉତ୍ସବରେ ଉପସ୍ଥିତ ସମସ୍ତ ସାହିତ୍ୟପ୍ରେମୀ ପ୍ରମିଳା ଶର୍ମାଙ୍କ ଆଗାମୀ ସୃଜନଶୀଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ।