77

ନୂଆପଡ଼ା -୧୯/୦୭- ନୂଆପଡ଼ା ଜିଲ୍ଲାପାଳଙ୍କ ଦୂରଦର୍ଶୀ ନେତୃତ୍ୱରେ ପରିବେଶ ସୁରକ୍ଷା, ପରିବେଶ-ଅନୁକୂଳ ଜୀବନଶୈଳୀ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିକୁ ଲକ୍ଷ୍ୟ କରି ଚାଲିଥିବା “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା” ଅଭିଯାନ ଅଧୀନରେ ପ୍ରତି ଶନିବାର ପାଳିତ ହେଉଥିବା ଜିଲ୍ଲା ସ୍ୱଚ୍ଛତା ଦିବସ ଅବସରରେ ସମଗ୍ର ଜିଲ୍ଲାରେ ବ୍ୟାପକ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଏହି ଅଭିଯାନରେ କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଏବଂ ପର୍ଯ୍ୟଟନସ୍ଥଳୀ ବେନିଆଧସ୍ ଜଳପ୍ରପାତ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟ ଚାଲିଥିଲା। ପର୍ଯ୍ୟଟନସ୍ଥଳରେ ପଡ଼ିରହିଥିବା ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍, ପଲିଥିନ୍ ଓ ଅନ୍ୟାନ୍ୟ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବା ସହ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ପ୍ଲାଷ୍ଟିକ୍ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ସଚେତନ କରାଯାଇଥିଲା। ସ୍ୱଚ୍ଛ ପରିବେଶ ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।
ସ୍ୱଚ୍ଛତା ଅଭିଯାନ ସହ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧରେ ସ୍ୱତନ୍ତ୍ର ଯାଞ୍ଚ ମଧ୍ୟ କରାଯାଇଥିଲା। ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆଙ୍କ ନେତୃତ୍ୱରେ ତହସିଲଦାର ସର୍ବେଶ୍ୱର ଜାଲ, ବିଡିଓ ପବିତ୍ର କୁମାର ସାମଲ, ପିଇଓ ଜୟ ପ୍ରକାଶ ମାଝୀ, ସରପଞ୍ଚ ମମତା ଧରୁଆ, ଜିଆରଏସ୍, ଆଙ୍ଗନୱାଡ଼ି କର୍ମୀ ଏବଂ ସ୍ଥାନୀୟ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସମସ୍ତଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ କରି କପଡ଼ା ବ୍ୟାଗ୍ ଓ ପରିବେଶ-ବନ୍ଧବ ବିକଳ୍ପ ଆପଣାଇବାକୁ ଆହ୍ୱାନ ଜଣାଇଥିଲେ। ସମସ୍ତଙ୍କ ସକ୍ରିୟ ସହଭାଗିତା ଦ୍ୱାରା ହିଁ ସ୍ୱଚ୍ଛ, ସୁସ୍ଥ, ସବୁଜ ଏବଂ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।