ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ‐
ମହିଳା ଟାଣିଲେ ଦେବଦଳନ ରଥ
ନୂଆପଡ଼ା -୨୭/୬(ଏମ.ଇ) ଅଣସର ସାରି ଗତକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପରେ ଆଜି ସିନାପାଲି ରେ ଶାନ୍ତିଶୃଙ୍ଖଳା ରେ ରଥଯାତ୍ରା ଅନୁଷ୍ଠିତ ହୋଇଛି ।ରଥରେ ମହାପ୍ରଭୁଙ୍କ ଦର୍ଶନ ସହ ରଥ ଟାଣିବାକୁ ଆଖପାଖ ଅଞ୍ଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଞ୍ଚଳ ରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l ଶୁକ୍ରବାର ସକାଳୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରାଯିବା ପରେ ଅପରାହ୍ଣ ରେ ଶ୍ରୀଜିଉଙ୍କ ପହଣ୍ତି ବିଜେ ପରେ ଡ.ବିକାଶ ମେହେରଙ୍କ ଦ୍ୱାରା ତିନି ରଥରେ ଛେରା ପହରା କରାଯାଇ ରଥଟଣା ଯାଇଥିଲା l ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସାମିଲ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଜଗନ୍ନାଥମୟ ହୋଇଥିଲା l ଏଠିକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟାଣିବାକୁ ମହିଳା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ଯ ଯେ ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ଯ ସଂପନ୍ନ କରାଯାଇ ଆସୁଛି l ରଥଯାତ୍ରାରେ ପ୍ରବଳ ଭିଡ଼ କୁ ଦେଖି ମନ୍ଦିର କମିଟି ଏବଂ ସ୍ବେଛାସେବୀ ଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିଲା । ଏଥିସହ ଏହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡ଼ା, ପତିଏଲପଡ଼ା, ସାଗୁନଭାଡ଼ି, ହାତୀବନ୍ଧା, ସିଙ୍ଗଝର, କେନ୍ଦୁମୁଣ୍ତା, ଚଳନା, ଗୋର୍ଲା, ଟିମନପୁର, ଜାମଗାଁ, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ଅରସାପଡ଼ା ଆଦି ଗ୍ରାମରେ ମଧ୍ଯ ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି l
ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ‐ ମହିଳା ଟାଣିଲେ ଦେବଦଳନ ରଥ
321