ଘଣ୍ଟିଗୁଡା ଗ୍ରାମ ପଞ୍ଚାୟତରେ
ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ନୂଆପଡ଼ା – ୩୦/୬
ନୂଆପଡ଼ା ଜିଲ୍ଳା ସିନାପାଲି ବ୍ଲକ ରେ ଅଭିଯୋଗ ଶୁଣାଣୀ ଶିବିର ପରେ ଘଣ୍ଟିଗୁଡା ଗ୍ରାମ ପଞ୍ଚାୟତରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ , ବିଡ଼ିଓ କାର୍ମୀ ଓରାମ, ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା, ସ୍ଥାନୀୟ ସରପଞ୍ଚ ଖୁଟୁରାମ ସୁନାନୀ , ସମିତି ସଭ୍ୟା ଲଳିତା ସୁନାନୀ,ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର ପ୍ରମୁଖ ଅତିଥି ହିସାବରେ ଯୋଗଦେଇଥିଲେ ସମାରୋହରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ମାମୁନି ନାଗକୁ କୋଳରେ ଧରି ତା ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।ସେମାନଙ୍କ ପିତାମାତାଙ୍କୁ ଉପହାର ପ୍ରଦାନ କରି ସେମାନଙ୍କ ଦ୍ୱାରା ନୂତନ ବୃକ୍ଷ ରୋପଣ କରାଇଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ l ସେମାନଙ୍କ ପରିବାରକୁ ଏହି ଆଗାମୀ ଦିନର ମାଆମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଉତ୍ସାହିତ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଘଣ୍ଟିଗୁଡା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଏହାକୁ ସିନାପାଲି ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସିନାପାଲି ସିଡିପିଓ ଝରଣା ଶତପଥୀ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଜିଲ୍ଲାରେ ଏଇ ସୁନ୍ଦର ବାର୍ତ୍ତା ଦେବାପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରୟାସ କରିଛନ୍ତି ଯେ ଗୋଟିଏ ସୁସ୍ଥ ସମାଜ ପାଇଁ ଝିଅ ଏବଂ ଗଛ ଉଭୟ ଅତ୍ୟନ୍ତ ଜରୁରୀ ଅଟେ l ସମଗ୍ର ସମାଜ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଆବଶ୍ଯକ l ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଜନ ଶୁଣାଣୀ ଦିବସ ଅପରାହ୍ନରେ ଗୋଟିଏ ଗୋଟିଏ ଗ୍ରାମ ପଞ୍ଚାୟତରେ ଏଭଳି ନିଆରା କାର୍ଯ୍ୟକ୍ରମ ପଞ୍ଚାୟତି ରାଜ, ଜିଲ୍ଲା ସମାଜ ମଙ୍ଗଳ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ଵାରା ଅନୁଷ୍ଠିତ ହୋଇ ବିଶେଷ ଜନାଦୃତି ଲାଭ କରିଛି l
