39
ନୂଆପଡ଼ା -୨୪/୩-ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅଧିନସ୍ଥ ରୋକାଲ ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୁଦନ ଦାଶ ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ । ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ ।
ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପାଳ ନବ ଜାତକ ଶିଶୁ କନ୍ୟା ହେମନ୍ତି ନାଗକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ l ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ ।ଛାତ୍ରଛାତ୍ରୀ ଓ ସ୍ଥାନୀୟ କଳାକାର ମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରି ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।
ଜିଲ୍ଲାପାଳ ଓ ଅତିଥି ମାନେ ରୋକାଲ ଗ୍ରାମର ପ୍ରବାସୀ ଶ୍ରମିକ ରାହାସ ନାଏକଙ୍କ ଘରକୁ ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ ଯୋଜନା ବିଷୟରେ ବୁଝାଇବା ସହ ଏହାର ଲାଭ ଉଠାଇବା ପାଇଁ ଉପଦେଶ ଦେଇଥିଲେ। ନାୟକଙ୍କ ପରିବାରକୁ ଛତୁ ଚାଷ କରି ରୋଜଗାର କରିବାକୁ ପ୍ରେରଣା ଦେଇଥିଲେ ଓ ତାଙ୍କ ପୁଅକୁ ପାଠ ପଢିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।