Home ରାଜ୍ୟମିଶନ ଶକ୍ତି ଓ ଓଏଲଏମ ର ସମୀକ୍ଷା : ଜିଲ୍ଲାରେ ସୃଷ୍ଟି ହେବେ ‘ମହାଲକ୍ଷପତି ଦିଦି’, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ।

ମିଶନ ଶକ୍ତି ଓ ଓଏଲଏମ ର ସମୀକ୍ଷା : ଜିଲ୍ଲାରେ ସୃଷ୍ଟି ହେବେ ‘ମହାଲକ୍ଷପତି ଦିଦି’, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ।

by Maraguda Express
0 comments
ନୂଆପଡ଼ା – ୯/୬- ନୂଆପଡ଼ା ଜିଲ୍ଲାରେ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବିତା ଓ ଗ୍ରାମୀଣ ଜୀବିକାର ଅଗ୍ରଗତି କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନ (ଓଏଲଏମ) ର ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ଓ ଯୋଜନା ବୈଠକ ସମ୍ପନ୍ନ ହୋଇଛି। ଏହି ବୈଠକରେ ଜିଲ୍ଲାର ଗ୍ରାମୀଣ ଅର୍ଥନୀତି କୁ ସୁଦୃଢ଼ କରିବା ସହ ମହିଳାମାନଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ଅଧିକାରୀମାନଙ୍କୁ ଟାର୍ଗେଟ୍ ଦିଆଯାଇଛି।
ପ୍ରତି ବ୍ଲକ ରୁ ୧୦୦ ‘ମହାଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ଲକ୍ଷ୍ୟ ଦିଆଯାଇଛି।
ବୈଠକରେ ଜିଲ୍ଲାପାଳ ଏକ ବଡ଼ ଘୋଷଣା କରି ଜିଲ୍ଲାର ସମସ୍ତ ପାଞ୍ଚଟି ବ୍ଲକ ରୁ ଅତିକମରେ ୧୦୦ ଜଣ ଲେଖାଏଁ ‘ମହା ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସଫଳ ମହିଳାମାନଙ୍କ ର ପ୍ରୋଫାଇଲ ପ୍ରସ୍ତୁତ କରି ସେମାନଙ୍କ ସଫଳତା ର କାହାଣୀ କୁ ଗାଁ ଗାଁରେ ପହଞ୍ଚାଇବାକୁ କୁହାଯାଇଛି, ଯେପରି ଅନ୍ୟ ମହିଳାମାନେ ଏଥିରୁ ପ୍ରେରଣା ପାଇ ସ୍ୱାବଲମ୍ବୀ ହୋଇପାରିବେ।
“ଅଧିକାରୀମାନେ କେବଳ କାର୍ଯ୍ୟାଳୟ ରେ ସୀମିତ ନରହି ତୃଣମୂଳ ସ୍ତରକୁ ଯାଆନ୍ତୁ। ହିତାଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସରକାରୀ ଯୋଜନାର ସୁଫଳ ଯେପରି ଅଧିକରୁ ଅଧିକ ମହିଳାଙ୍କ ପାଖରେ ପହଞ୍ଚିପାରିବ, ତାହା ନିଶ୍ଚିତ କରନ୍ତୁ।” ବୋଲି ଜିଲ୍ଲାପାଳ ଶ୍ରୀ ଦାଶ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାରେ ମିଶନ ଶକ୍ତି ଏବଂ ଓଏଲଏମ ମାଧ୍ୟମରେ ମହିଳାମାନେ ବେଶ୍ ଆଗକୁ ବଢୁଛନ୍ତି।
ଜିଲ୍ଲାରେ ଥିବା ୯,୨୬୯ଟି ସକ୍ରିୟ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମଧ୍ୟରୁ ୯୮% ପ୍ରୋଫାଇଲ୍ ଅପଡେଟ୍ କାର୍ଯ୍ୟ ଶେଷ ହୋଇଛି।
ଲକ୍ଷପତି ଦିଦି ସଫଳତା ଙ୍କ ସଫଳତା। ଜିଲ୍ଲାରେ ଏପର୍ଯ୍ୟନ୍ତ ୩୬,୦୬୮ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଛନ୍ତି। ଏହାସହ ଆଗାମୀ ଦିନ ପାଇଁ ୨୪,୯୪୫ ଜଣ ସମ୍ଭାବ୍ୟ ଲକ୍ଷପତି ଦିଦି ଙ୍କୁ ଚିହ୍ନଟ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୧୦୪ ପ୍ରତିଶତ ଅଟେ।
ଜିଲ୍ଲାରେ ପ୍ରସ୍ତୁତ ହେଉଥିବା ୫୧ ଟି ‘ମିଶନ ଶକ୍ତି ରିଟେଲ ମାର୍ଟ’ ମଧ୍ୟରୁ ୪୫ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବାକି ୬ ଟି ମାର୍ଟ କୁ ଅତି ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରବାସୀ ଶ୍ରମିକ ପରିବାରକୁ ୮୧ ଲକ୍ଷରୁ ଅଧିକ ସହାୟତା
ଗ୍ରାମୀଣ ଜୀବିକା ସହ ଜିଲ୍ଲାର ପ୍ରବାସୀ ଶ୍ରମିକ ପରିବାର ଗୁଡ଼ିକର କଲ୍ୟାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। କେବଳ ମେ ମାସରେ ହିଁ ଜିଲ୍ଲାର ୨୧୧ ଟି ପ୍ରବାସୀ ଶ୍ରମିକ ପରିବାରକୁ ପ୍ରାୟ ୮୧.୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ପରିବାର ଗୁଡ଼ିକୁ ସାମାଜିକ ସୁରକ୍ଷା ଯୋଗାଇଦେବା ସହ ନିୟମିତ ସେମାନଙ୍କ ଘର ପରିଦର୍ଶନ କରିବାକୁ ନିଷ୍ପତ୍ତି ହୋଇଛି।
ଏହାବ୍ୟତୀତ ଗ୍ରାମୀଣ ସୁବିଧା କେନ୍ଦ୍ର (ଜିଏଫସି) ମାଧ୍ୟମରେ ଆସୁଥିବା ବିଭିନ୍ନ ସମସ୍ୟାର ସମାଧାନର ସମୀକ୍ଷା କରାଯାଇଥିଲା। ଜିଲ୍ଲା ରେ କାର୍ଯ୍ୟରତ ଗ୍ରାମୀଣ କମ୍ୟୁନିଟି ରିସୋର୍ସ ପର୍ସନ (ଜିସିଆରପି) ମାନଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ‘ପାରା ଲିଗାଲ ଭଲ୍ୟୁଣ୍ଟିୟର’ ଭାବେ ଚୟନ କରାଯାଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଛନ୍ତି।
ଉପରୋକ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦ୍ୱାରିକାନାଥ ଶତପଥୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ ଙ୍କ ସମେତ ସମସ୍ତ ବ୍ଲକର ପ୍ରକଳ୍ପ ସଂଯୋଜକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha