Home ରାଜ୍ୟ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’କୁ ବର୍ଷେ: ସଂକଳ୍ପରୁ ସବୁଜିମା, ରାଜ୍ୟ ପାଇଁ ରୋଲ୍ ମଡେଲ୍ ନୂଆପଡ଼ା।

‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା’କୁ ବର୍ଷେ: ସଂକଳ୍ପରୁ ସବୁଜିମା, ରାଜ୍ୟ ପାଇଁ ରୋଲ୍ ମଡେଲ୍ ନୂଆପଡ଼ା।

୩,୫୯୫ ସଚେତନତା କାର୍ଯ୍ୟକ୍ରମ, ୭,୪୧୯ ସ୍ୱଚ୍ଛତା ଅଭିଯାନ, ୩୦ ଟନ୍‌ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ; ଜନଆନ୍ଦୋଳନରେ ପରିଣତ ହୋଇଛି ‘ଏସ୍‌ୟୁପି ମୁକ୍ତ ନୂଆପଡ଼ା’ ଅଭିଯାନ ।

by Maraguda Express
0 comments

Table of Contents

ନୂଆପଡ଼ା -୪/୦୬ -ବର୍ଷେ ତଳେ ଆରମ୍ଭ ହୋଇଥିଲା ଏକ ସ୍ୱପ୍ନ। ସ୍ୱଚ୍ଛ, ସବୁଜ ଏବଂ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଢ଼ିବାର ସ୍ୱପ୍ନ। ଆଜି ସେହି ସ୍ୱପ୍ନ କେବଳ ସାକାର ହୋଇନାହିଁ, ବରଂ ରାଜ୍ୟରେ ଏକ ନୂଆ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଗତ ୨୦୨୫ ଜୁନ୍ ୫ ତାରିଖରେ ଆରମ୍ଭ ହୋଇଥିବା ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଅଭିଯାନ’ ଏକ ବର୍ଷ ପୂରଣ କରିଥିବା ବେଳେ ଏହା ପ୍ଲାଷ୍ଟିକ୍ ବିରୋଧୀ ଲଢ଼େଇରେ ରାଜ୍ୟ ପାଇଁ ଏକ ରୋଲ୍ ମଡେଲ୍ ଭାବେ ଉଭା ହୋଇଛି। ଏହି ସଫଳତା ପଛରେ ରହିଛି ଦୃଢ଼ ନେତୃତ୍ୱ, ନିରନ୍ତର ତଦାରଖ ଏବଂ ସର୍ବୋପରି ସାଧାରଣ ଲୋକଙ୍କ ସକ୍ରିୟ ସହଭାଗିତା। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ପ୍ରଶାସନିକ କାର୍ଯ୍ୟକ୍ରମର ସୀମା ଅତିକ୍ରମ କରି ଜନଆନ୍ଦୋଳନର ରୂପ ନେଇଛି।

ଗତ ଏକ ବର୍ଷ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଏନ୍‌ଏସି ଅଞ୍ଚଳରେ ୩,୫୯୫ଟି ସଚେତନତା କାର୍ଯ୍ୟକ୍ରମ ଏବଂ ୭,୪୧୯ଟି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଛି। ଏହି ସମୟ ମଧ୍ୟରେ ୩୦,୪୪୯ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇଥିବା ବେଳେ ୪,୦୦୫.୪ କିଲୋଗ୍ରାମ୍ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୪ ଲକ୍ଷ ୩୬ ହଜାର ୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ଅଭିଯାନର ସବୁଠାରୁ ବଡ଼ ସଫଳତା ହେଉଛି ଲୋକଙ୍କ ମନୋଭାବରେ ଆସିଥିବା ପରିବର୍ତ୍ତନ। ଏକ ସମୟରେ ଦୈନନ୍ଦିନ ଜୀବନର ଅଂଶ ହୋଇଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ଓ ଅନ୍ୟାନ୍ୟ ସିଙ୍ଗଲ୍ ୟୁଜ୍ ସାମଗ୍ରୀ ପ୍ରତି ଏବେ ଲୋକଙ୍କ ଦୃଷ୍ଟିଭଙ୍ଗୀ ବଦଳିଛି। ବଜାରଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନଠାରୁ ଗ୍ରାମସଭା ପର୍ଯ୍ୟନ୍ତ ସବୁଠି ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚିଛି।

ଏହି ପରିବର୍ତ୍ତନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ। ପରିବେଶ ଅନୁକୂଳ ବିକଳ୍ପ ସାମଗ୍ରୀର ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ୧୭୦ଟି ସମନ୍ୱୟ ବୈଠକ ଆୟୋଜନ କରାଯାଇଥିଲା। ଫଳରେ ଅନେକ ସ୍ଥାନରେ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍ ଓ ଅନ୍ୟ ପରିବେଶବନ୍ଧବ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇଛି।

ଅଭିଯାନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଜିଲ୍ଲାରେ ୧୩୧ ଜଣ ସ୍ୱଚ୍ଛତା ଦୂତ ଓ ୧୪ ଜଣ ସ୍ୱଚ୍ଛତା ମିତ୍ରଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଗ୍ରାମ୍ୟ ସ୍ତରରେ SUP ମୁକ୍ତ ନୂଆପଡ଼ା ଅଭିଯାନର ଦାୟିତ୍ୱ ଦିଆଯାଇଛି । ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକାର ପୂର୍ବକ ବିଭିନ୍ନ ସମୟରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଉଛି , ଯାହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇଛି ।ଏହି ଅଭିଯାନର ପ୍ରକୃତ ନାୟକ ସାଜିଛନ୍ତି ସ୍ୱଚ୍ଛତା ଦୂତ ଓ ସ୍ୱଚ୍ଛତା ମିତ୍ରମାନେ। ଗ୍ରାମ ଗ୍ରାମ ବୁଲି, ଘର ଘରକୁ ଯାଇ ସେମାନେ ଲୋକଙ୍କୁ ସଚେତନ କରିଛନ୍ତି। ସେମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ପରିବେଶ ସୁରକ୍ଷା ଏକ ସାମୂହିକ ଦାୟିତ୍ୱରେ ପରିଣତ ହୋଇପାରିଛି।

ଗ୍ରାମାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ୩୦୯ ଜଣ ସ୍ୱଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯାଇଛି । ପ୍ରତ୍ୟେକ ୫୦୦ ପରିବାର ପାଇଁ ଜଣେ ସ୍ୱଚ୍ଛତା କର୍ମୀ ନିଯୁକ୍ତ କରାଯାଇଥିଲେ। ସେମାନଙ୍କର ନିୟମିତ ବର୍ଜ୍ୟ ସଂଗ୍ରହ, ପୃଥକୀକରଣ ଓ ସ୍ୱଚ୍ଛତା କାର୍ଯ୍ୟ ଅଭିଯାନର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛି।

ଅଭିଯାନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଠଟି ଜିଲ୍ଲା ସ୍ତରୀୟ ‘ସ୍ୱଚ୍ଛ ଟିମ୍’ ଗଠନ କରାଯାଇଥିଲା। ପ୍ରତ୍ୟେକ ଶନିବାର ଏହି ଟିମ୍‌ଗୁଡ଼ିକ ବ୍ଲକ୍ ଓ ଏନ୍‌ଏସି ଗୁଡ଼ିକ ପରିଦର୍ଶନ କରି କାର୍ଯ୍ୟକ୍ରମର ସମୀକ୍ଷା କରୁଛନ୍ତି । ନିୟମିତ ତଦାରଖ ଓ ମାର୍ଗଦର୍ଶନ ଯୋଗୁଁ ପ୍ରତ୍ୟେକ ସ୍ତରରେ ଦାୟିତ୍ୱବୋଧ ଓ ଜବାବଦେହିତା ସୁନିଶ୍ଚିତ ହୋଇପାରିଛି ।

ଅଭିଯାନର ଏକ ଅଭିନବ ପଦକ୍ଷେପ ଭାବରେ ଜିଲ୍ଲାର ସମସ୍ତ ୧୩୧ଟି ଗ୍ରାମ ପଞ୍ଚାୟତ ଏବଂ ୪୧ଟି NAC ୱାର୍ଡରେ “ବର୍ତ୍ତନ ବ୍ୟାଙ୍କ” ସ୍ଥାପନ କରାଯାଇଛି । ଏହି ବର୍ତ୍ତନ ବ୍ୟାଙ୍କଗୁଡ଼ିକ ସାମାଜିକ କାର୍ଯ୍ୟକ୍ରମ, ବିବାହ, ଭୋଜି ଓ ସାମୁଦାୟିକ ସମାରୋହ ପାଇଁ ପୁନଃବ୍ୟବହାରଯୋଗ୍ୟ ବାସନପତ୍ର ଉପଲବ୍ଧ କରାଉଛି। ଏହା ଏକକ-ବ୍ୟବହାର ପ୍ଲାଷ୍ଟିକର ଏକ ସ୍ଥାୟୀ ଓ ପରିବେଶ ଅନୁକୂଳ ବିକଳ୍ପ ଭାବେ କାର୍ଯ୍ୟ କରୁଛି।

ଅନ୍ୟ ଏକ ଐତିହାସିକ ସଫଳତା ଭାବେ ନୂଆପଡ଼ା ସମଗ୍ର ରାଜ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା (SWM) ନିୟମ, ୨୦୨୬କୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବାରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ପରିଚିତ ହୋଇଛି। ଏହି ପଦକ୍ଷେପ ବୈଜ୍ଞାନିକ ଉପାୟରେ ବର୍ଜ୍ୟ ପରିଚାଳନାକୁ ସୁଦୃଢ଼ କରିବା ସହ ଅଭିଯାନର ଦୀର୍ଘସ୍ଥାୟୀ ସଫଳତା ପାଇଁ ଏକ ମଜବୁତ ଭିତ୍ତି ସୃଷ୍ଟି କରିଛି।

ଏହି ଅଭିଯାନର ସବୁଠାରୁ ବଡ଼ ସଫଳତା କେବଳ ପରିସଂଖ୍ୟାନରେ ସୀମିତ ନୁହେଁ। ଏହା ନାଗରିକମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପରିବେଶ ସଚେତନତା, ସ୍ଥାୟୀ ବିକଳ୍ପର ଗ୍ରହଣଯୋଗ୍ୟତା ଏବଂ ସ୍ୱଚ୍ଛ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ପ୍ରତି ସାମୂହିକ ପ୍ରତିବଦ୍ଧତାରେ ପ୍ରତିଫଳିତ ହୋଇଛି।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ କହିବା ଅନୁଯାୟୀ, “ଏହା କେବଳ ଏକ ଅଭିଯାନ ନୁହେଁ, ବରଂ ଲୋକଙ୍କ ଆନ୍ଦୋଳନ। ନୂଆପଡ଼ାବାସୀଙ୍କ ସମର୍ଥନ ଓ ସହଯୋଗ ହିଁ ଏହାର ସଫଳତାର ପ୍ରମୁଖ ଆଧାର।”ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ “ ଏସୟୁପି ମୁକ୍ତ ନୂଆପଡ଼ା”କୁ କେବଳ ଏକ ଅଭିଯାନରେ ସୀମିତ ରଖିନାହିଁ; ବରଂ ଏହାକୁ ସ୍ଥାୟୀ ପରିବେଶ ପରିଚାଳନାର ଏକ ଆଦର୍ଶ ମଡେଲ୍‌ରେ ପରିଣତ କରିଛି। ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ନୂଆପଡ଼ା ଆଜି ଏହା ପ୍ରମାଣ କରିଛି ଯେ ଦୂରଦୃଷ୍ଟି, ନେତୃତ୍ୱ ଓ ଜନସହଭାଗିତା ଏକାଠି ହେଲେ ସ୍ଥାୟୀ ପରିବର୍ତ୍ତନ ସମ୍ଭବ।ଜ଼ିଲ୍ଲାବାସୀଙ୍କ ନିରନ୍ତର ସହଯୋଗ ଓ ପ୍ରଶାସନର ଅଟୁଟ ପ୍ରତିବଦ୍ଧତା ସହ ନୂଆପଡ଼ା ଏବେ ଆହୁରି ସ୍ୱଚ୍ଛ, ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha