Home ରାଜ୍ୟଧାନ ମଣ୍ଡି ଅବ୍ୟବସ୍ଥା ବିରୋଧରେ କଂଗ୍ରେସର ହୁଙ୍କାର : ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର,ଚାଷୀଙ୍କ ଦୁର୍ଦ୍ଦଶା ନେଇ ଉଦବେଗ।

ଧାନ ମଣ୍ଡି ଅବ୍ୟବସ୍ଥା ବିରୋଧରେ କଂଗ୍ରେସର ହୁଙ୍କାର : ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର,ଚାଷୀଙ୍କ ଦୁର୍ଦ୍ଦଶା ନେଇ ଉଦବେଗ।

by Maraguda Express
0 comments
ନୂଆପଡ଼ା -୨୩/୬ – ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଦେଇଥିବା ଚରମ ଅବ୍ୟବସ୍ଥା, ଟୋକନ ବଣ୍ଟନରେ ବିଳମ୍ବ, ମିଲରଙ୍କ ମନମୁଖୀ କାର୍ଯ୍ୟକଳାପ ଏବଂ ବେଆଇନ ‘କଟନୀ-ଛଟନୀ’ ପ୍ରଥାକୁ ବିରୋଧ କରି ସୋମବାର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଶତାଧିକ ଚାଷୀ ଓ କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ଏକତା ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପ୍ରତିବାଦ ସଭାରେ ପରିଣତ ହୋଇଥିଲା।
ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚାଷୀଙ୍କ କଷ୍ଟାର୍ଜିତ ଧାନ ମଣ୍ଡିରେ ଦିନ ଦିନ ଧରି ପଡ଼ିରହିଥିବା ବେଳେ ବର୍ଷା ଭୟରେ ଚାଷୀମାନେ ଗଭୀର ଚିନ୍ତାରେ ରହିଥିବା ନେଇ କଂଗ୍ରେସ ନେତୃତ୍ୱ ଉଦବେଗ ପ୍ରକାଶ କରିଛି।ଚାଷୀଙ୍କ ଦୁର୍ଦ୍ଦଶା ନେଇ କଂଗ୍ରେସର କ୍ଷୋଭ।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଜିଲ୍ଲାର ହଜାର ହଜାର ଚାଷୀ ଋଣ କରି ଓ ଅକ୍ଳାନ୍ତ ପରିଶ୍ରମ କରି ରବି ଋତୁରେ ଧାନ ଚାଷ କରିଥିଲେ। ମାତ୍ର ବର୍ତ୍ତମାନ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ତ୍ରୁଟି ଯୋଗୁଁ ସେମାନେ ଗଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।
ଅନେକ ଯୋଗ୍ୟ ଚାଷୀ ଏପର୍ଯ୍ୟନ୍ତ ଟୋକନ ପାଇନଥିବା ବେଳେ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଏବଂ ମିଲରମାନଙ୍କ ଦ୍ୱାରା ଧାନ ଉଠାଣରେ ଅହେତୁକ ବିଳମ୍ବ ଚାଷୀଙ୍କ ସମସ୍ୟାକୁ ଆହୁରି ଜଟିଳ କରିଛି। ଏହାସହ ପ୍ରତି କ୍ୱିଣ୍ଟାଲ ଧାନରୁ ୪ରୁ ୬ କିଲୋଗ୍ରାମ ପର୍ଯ୍ୟନ୍ତ ବେଆଇନ ‘କଟନୀ-ଛଟନୀ’ କରାଯାଉଥିବା ଅଭିଯୋଗ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ବର୍ଷା ଭୟରେ ମଣ୍ଡିରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ
ଖୋଲା ଆକାଶ ତଳେ ବିଭିନ୍ନ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ିରହିଥିବାରୁ ଆଗାମୀ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଧାନ ବିକ୍ରି ନ ହେବାରୁ ଚାଷୀମାନେ ନିଜର ଦୈନନ୍ଦିନ ଖର୍ଚ୍ଚ ବହନ କରିବା ସହ ଆଗାମୀ ଖରିଫ ଚାଷ ପାଇଁ ପ୍ରସ୍ତୁତି କରିବାରେ ମଧ୍ୟ ଅସମର୍ଥ ହେଉଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
ଜିଲ୍ଲା କଂଗ୍ରେସର ପାଞ୍ଚ ଦଫା ଦାବି ପତ୍ର ପ୍ରଦାନ। ଚାଷୀଙ୍କ ସ୍ୱାର୍ଥ ଏବଂ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଜିଲ୍ଲା କିଷାନ କଂଗ୍ରେସ ସଭାପତି ମହମ୍ମଦ ଇସାକ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସ୍ୱାକ୍ଷରିତ ଦାବିପତ୍ରରେ ପାଞ୍ଚଟି ପ୍ରମୁଖ ଦାବି ଉପସ୍ଥାପନ କରାଯାଇଛି।
ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ କରାଯାଇ ବିନା ବିଳମ୍ବରେ ଧାନ କ୍ରୟ କରାଯାଉ।
ମଣ୍ଡିରୁ ମିଲରଙ୍କ ଦ୍ୱାରା ଧାନ ଉଠାଣ ପ୍ରକ୍ରିୟାକୁ ସୁଶୃଙ୍ଖଳିତ ଓ ତ୍ୱରାନ୍ୱିତ କରାଯାଉ।
ପ୍ରତ୍ୟେକ ମଣ୍ଡିରେ ଚାଲିଥିବା ବେଆଇନ କଟନୀ-ଛଟନୀ ପ୍ରଥାକୁ ତୁରନ୍ତ ବନ୍ଦ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଧାନ କ୍ରୟ ପ୍ରକ୍ରିୟାରେ ହେଉଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ମିଲର ଓ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ।
ଆଗାମୀ ଖରିଫ ଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ବିହନ ଓ ସାର ସମୟ ମଧ୍ୟରେ ଯୋଗାଇ ଦିଆଯାଉ।
ଚାଷୀଙ୍କ ସମ୍ମାନ ଏବଂ ଜୀବିକା ସୁରକ୍ଷା ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଜିଲ୍ଲା କଂଗ୍ରେସ କମିଟି ଆଶା ପ୍ରକାଶ କରିଛି। ଏହି ଆନ୍ଦୋଳନରେ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଜିଲ୍ଲା କିଷାନ କଂଗ୍ରେସ ପ୍ରକୋଷ୍ଠର ମହମ୍ମଦ ଇସାକ, ଆଲୋକ ଗୁରୁ, ସୁଧୀର ମିଶ୍ର, ରବି ମଙ୍ଗରାଜଙ୍କ ସମେତ ଶତାଧିକ ଚାଷୀ ଓ କର୍ମୀ ସାମିଲ ହୋଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha