142

ନୂଆପଡ଼ା -୫/୭- ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ନୂଆପଡ଼ା ଶାଖା ପକ୍ଷରୁ ବ୍ୟାଙ୍କର ୭୧ ତମ ବ୍ୟାଙ୍କ ଦିବସ ଅବସରରେ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି (ସିଏସଆର) କାର୍ଯ୍ୟକ୍ରମ ଭବ୍ୟ ଭାବେ ଆୟୋଜିତ ହୋଇଥିଲା। ସମାଜସେବା, ଜନ କଲ୍ୟାଣ ଓ ପରିବେଶ ସୁରକ୍ଷା ପ୍ରତି ଏସବିଆଇ ର ପ୍ରତିବଦ୍ଧତା ଏହି କାର୍ଯ୍ୟକ୍ରମରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା।
ଏହି ରକ୍ତଦାନ ଶିବିର କୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରିଥିଲେ। ସେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏହି ମହତ୍ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହ ସ୍ୱେଚ୍ଛାକୃତ ରକ୍ତଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।
ଏହା ସହିତ ସିଏସଆର କାର୍ଯ୍ୟକ୍ରମ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନୂଆପଡ଼ା ଶାଖା ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୨୦୦ ଟି ପୁନଃ ବ୍ୟବହାରଯୋଗ୍ୟ ଷ୍ଟିଲ ପାଣି ବୋତଲ ପ୍ରଦାନ କରାଯାଇଥିଲା। ଏହି ବୋତଲ ଗୁଡ଼ିକ ରୋଗୀମାନଙ୍କୁ ସୁରକ୍ଷିତ ପାନୀୟ ଜଳ ଉପଲବ୍ଧ କରାଇବା ସହିତ ଏକବାରିକ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରି ପରିବେଶ ସୁରକ୍ଷାରେ ସହାୟକ ହେବ।
ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ମୁଖ୍ୟ ପ୍ରବନ୍ଧକ ଲିଙ୍କନ ଦାସ ବ୍ୟାଙ୍କର ସାମାଜିକ ଦାୟିତ୍ୱ, ପରିବେଶ ସୁରକ୍ଷା ଓ ଜନ କଲ୍ୟାଣ ପ୍ରତି ଅଟୁଟ ପ୍ରତିବଦ୍ଧତା କୁ ପୁନରୁଚ୍ଚାରଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ରୋଗୀ ସେବା, ପରିଷ୍କାରତା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଏହି ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।