19
ନୂଆପଡ଼ା -୬/୭- ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ଜନସାଧାରଣ ନିଜ ଅଭିଯୋଗ ସିଧାସଳଖ ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଏହି ଶିବିର ଏକ ପ୍ରଭାବଶାଳୀ ମଞ୍ଚ ପାଲଟିଥିଲା।
ଶିବିରରେ ମୋଟ ୫୪ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୪୯ଟି ବ୍ୟକ୍ତିଗତ ଓ ୫ଟି ସାମୂହିକ ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବାବେଳେ ରେଡ୍ କ୍ରସ ପାଣ୍ଠିରୁ ଦୁଖୁରାମ କଲାର ଓ ଚିନ୍ତାମଣି ମାଝୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ଜିଲ୍ଲାପାଳ ଶିବିରରେ ପଞ୍ଜିକୃତ ପ୍ରତ୍ୟେକ ଅଭିଯୋଗର ଗୁରୁତ୍ୱର ସହ ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ ସୁନିଶ୍ଚିତ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହା ପ୍ରଶାସନର ଜନକୈନ୍ଦ୍ରିକ କାର୍ଯ୍ୟଧାରାକୁ ପୁଣିଥରେ ପ୍ରତିଫଳିତ କରିଛି।
ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା। ସେହିପରି ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନିଜଣ ବ୍ୟକ୍ତିଙ୍କୁ ‘ସ୍ୱଚ୍ଛ ଦୂତ’ ସମ୍ମାନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି ଜିଲ୍ଲାପାଳ ଶେଖ ନସୀମ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଏଥିସହ ବିଭିନ୍ନ ବିଭାଗର ଯନ୍ତ୍ରୀ, ଲାଇନ ବିଭାଗର ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।