91
ନୂଆପଡ଼ା -୪/୭- (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାପାଳଙ୍କ ଦୂରଦର୍ଶୀ ନେତୃତ୍ୱରେ ପରିବେଶ ସୁରକ୍ଷା, ପରିବେଶ-ଅନୁକୂଳ ଜୀବନଶୈଳୀ ଏବଂ ସ୍ଥାୟୀ ଜୀବିକା ସୃଷ୍ଟିକୁ ଲକ୍ଷ୍ୟ କରି ଚାଲିଥିବା “ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା” ଅଭିଯାନ ଅଧୀନରେ ପ୍ରତି ଶନିବାର ପାଳିତ ହେଉଥିବା ଜିଲ୍ଲା ସ୍ୱଚ୍ଛତା ଦିବସ ଅବସର ରେ ଆଜି ସମଗ୍ର ଜିଲ୍ଲାରେ ବ୍ୟାପକ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ଓ ସାର୍ବଜନୀନ ସ୍ଥାନରେ ୮ଟି ଜିଲ୍ଲାସ୍ତରୀୟ ସ୍ୱଚ୍ଛତା ଦଳ, ସମ୍ପୃକ୍ତ ବ୍ଲକ୍ ପ୍ରଶାସନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସହଯୋଗରେ ବ୍ୟାପକ ସଫେଇ ଅଭିଯାନ ଚଳାଇଥିଲେ।
ଏହି ଅଭିଯାନରେ ପ୍ରାୟ ୪ ଟନ୍ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ବୈଜ୍ଞାନିକ ପଦ୍ଧତିରେ ପରିଚାଳନା ପାଇଁ ପଠାଯାଇଛି।
ସ୍ୱଚ୍ଛତା ଅଭିଯାନ ସହ ନିଷିଦ୍ଧ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବିରୋଧରେ କଡ଼ା ଯାଞ୍ଚ ଓ ପ୍ରବର୍ତ୍ତନମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା। ଯାଞ୍ଚ ବେଳେ ସହରାଞ୍ଚଳରୁ ୨୪ କେଜି ଏବଂ ଗ୍ରାମାଞ୍ଚଳରୁ ୧୦୫ କେଜି, ମୋଟ ୧୨୯ କେଜି ନିଷିଦ୍ଧ ପ୍ଲାଷ୍ଟିକ୍ ଜବତ କରାଯାଇଛି। ସେହିପରି ସହରାଞ୍ଚଳରୁ ୭,୭୦୦ ଟଙ୍କା ଓ ଗ୍ରାମାଞ୍ଚଳରୁ ୪୧,୨୦୦ ଟଙ୍କା, ମୋଟ ୪୮,୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ନିୟମ ଉଲ୍ଲଂଘନକାରୀମାନଙ୍କଠାରୁ ଭବିଷ୍ୟତରେ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ନ କରିବା ପାଇଁ ଲିଖିତ ପ୍ରତିଶ୍ରୁତିପତ୍ର ମଧ୍ୟ ଗ୍ରହଣ କରାଯାଇଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଅଭିଯାନରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରିଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷ୍ୟାମନିଧି ଭୋଇ, ଗ୍ରାମ୍ୟ ଜଳଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ ପ୍ରହଲ୍ଲାଦ ସାହୁ, ସମବାୟ ଉପନିବନ୍ଧକ ଶିବ ପ୍ରସାଦ ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ଓ ଆର୍.ଏମ୍.ସି. ସମ୍ପାଦକ ଆର୍ଯ୍ୟ କୁମାର ମୁଦୁଲି ପ୍ରମୁଖ ନିଜ ନିଜ ଜିଲ୍ଲାସ୍ତରୀୟ ଦଳର ନେତୃତ୍ୱ ନେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲାବାସୀଙ୍କୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ଭାବେ ପରିହାର କରି କପଡ଼ା ବ୍ୟାଗ୍ ଓ ଅନ୍ୟାନ୍ୟ ପରିବେଶବନ୍ଧବ ବିକଳ୍ପ ଆପଣାଇବାକୁ ଆହ୍ୱାନ ଜଣାଇଛନ୍ତି। ସମସ୍ତଙ୍କ ସକ୍ରିୟ ସହଭାଗିତା ଦ୍ୱାରା ହିଁ ସ୍ୱଚ୍ଛ, ସୁସ୍ଥ, ସବୁଜ ଏବଂ ପ୍ଲାଷ୍ଟିକ୍ ମୁକ୍ତ ନୂଆପଡ଼ା ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଛନ୍ତି।