59
ନୂଆପଡ଼ା -୧୭/୭- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜନୀତିରେ ଏକ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତାଙ୍କ ସମେତ ବହୁ ସଂଖ୍ୟକ ୱାର୍ଡ ସଭ୍ୟ ଓ ସଭ୍ୟା ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଏହି ଯୋଗଦାନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ହଲଚଲ ଜୋର ଧରିଛି।
ରାଜ୍ୟର ପ୍ରମୁଖ ଶୀର୍ଷ ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ମାଳବିକା ଦେବୀ ଏବଂ ନୂଆପଡ଼ା ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ।
ଏହି ଅବସରରେ ଉପସ୍ଥିତ ମନ୍ତ୍ରୀ ଓ ଦଳୀୟ ନେତୃବୃନ୍ଦ କହିଛନ୍ତି ଯେ, ଏହି ମିଶ୍ରଣ ଖଡ଼ିଆଳ ସହର ତଥା ସମଗ୍ର ନିର୍ବାଚନମଣ୍ଡଳୀର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସ୍ଥାନୀୟ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଏହି ନୂତନ ଯୋଗଦାନ ବେଶ୍ ସହାୟକ ହେବ ବୋଲି ନେତାମାନେ ମତ ପ୍ରକାଶ କରିଛନ୍ତି।