ନୂଆପଡ଼ା- ୧୩/୬- ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗରିବ ଓ ଅଭାବୀ ପରିବାରଙ୍କ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ନ୍ୟାସନାଲ କଲେଜ ଅଡିଟୋରିୟମ୍ଠାରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ବଡ଼ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ଯୋଜନା ମାଧ୍ୟମରେ ନୂଆପଡ଼ା ଜିଲ୍ଲାର ପ୍ରାୟ ୫ ଲକ୍ଷ ୫୬ ହଜାର ୯୩୨ ଜଣ ହିତାଧିକାରୀ ସିଧାସଳଖ ଉପକୃତ ହେବେ।
ଜଣ ପିଛା ମିଳିବ ମାସିକ ୫ କିଲୋଗ୍ରାମ ଅତିରିକ୍ତ ମାଗଣା ଚାଉଳ। ୩ ମାସର (ଏପ୍ରିଲ,ମେ ଓ ଜୁନ) ବକେୟା ମୋଟ ୧୫ କିଲୋ ଚାଉଳ ଏକକାଳୀନ ପ୍ରଦାନ କରାଯିବ।
ଜିଲ୍ଲାର ୧,୮୯,୯୧୬ଟି ରାସନ କାର୍ଡଧାରୀ ପରିବାର ଉପକୃତ ହେବେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭୁବନେଶ୍ୱରସ୍ଥ ଆଇଡିକୋ ପ୍ରଦର୍ଶନୀ ପଡ଼ିଆରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ହୋଇଥିବା ଏହି ଯୋଜନାର ଭବ୍ୟ ଉଦ୍ଘାଟନୀ ଉତ୍ସବକୁ ସିଧାପ୍ରସାରଣ ମାଧ୍ୟମରେ ଦେଖାଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ନୂଆପଡ଼ା ଅଡିଟୋରିୟମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟ ଢୋଲକିଆ ନୂଆପଡ଼ା ବିଧାୟକ,ହୋମସିଂ ମାଝୀ ସ୍ପେଶାଲ ଡେଭଲପମେଣ୍ଟ କାଉନ୍ସିଲ ଅଧ୍ୟକ୍ଷ, ମଧୁସୂଦନ ଦାଶ ଜିଲ୍ଲାପାଳ ନୂଆପଡ଼ା, ଡା. ସୋନିଆ ଜୈନ ଖରିଆର ରୋଡ଼ ଏନ୍ଏସି ଅଧ୍ୟକ୍ଷା ଏବଂ
ମାଧୁରୀ ମାଝୀ ସିନାପାଲି ବ୍ଲକ ଅଧ୍ୟକ୍ଷା ମଞ୍ଚାଷିନ ଥିଲେ ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅଧୀନରେ ଥିବା ସମସ୍ତ ଯୋଗ୍ୟ ରାସନ କାର୍ଡଧାରୀଙ୍କୁ ଏହି ସୁବିଧା ମିଳିବ। ସେମାନଙ୍କର ନିୟମିତ ଚାଉଳ ବ୍ୟତୀତ ଜଣପିଛା ପ୍ରତିମାସ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ଦିଆଯିବ। ଯୋଜନାଟି ଏପ୍ରିଲ-୨୦୨୬ରୁ ଲାଗୁ ହୋଇଥିବାରୁ, ଏହି ମାସରେ ହିତାଧିକାରୀମାନେ ଏପ୍ରିଲ, ମେ ଓ ଜୁନ ମାସର ମୋଟ ୧୫ କିଲୋଗ୍ରାମ ଚାଉଳ ଏକକାଳୀନ ପାଇବେ।
ଜିଲ୍ଲାର ୧୪୮ଟି ସୁଲଭ ମୂଲ୍ୟ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଏହି ଚାଉଳ ବଣ୍ଟନ କରାଯିବ। କାର୍ଯ୍ୟକ୍ରମ ଅବସରରେ ପ୍ରତିକାତ୍ମକ ଭାବେ ୧୨ ଜଣ ହିତାଧିକାରୀ ଙ୍କୁ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ କାର୍ଡ ବଣ୍ଟନ କରାଯାଇଥିଲା। ଏହା ସହିତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୧୦ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ କରାଯାଇ ଡିଜିଟାଲାଇଜେସନକୁ ପ୍ରୋତ୍ସାହନ ଦିଆଯାଇଛି।