Home ରାଜ୍ୟସହରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି, ନୂଆପଡ଼ା-ପଦମପୁର ରାସ୍ତାରେ ଶୀଘ୍ର ଲାଗୁ ହେବ ଇଣ୍ଟେଲିଜେଣ୍ଟ ଟ୍ରାଫିକ ଏନଫୋର୍ସମେଣ୍ଟ ସିଷ୍ଟମ।

ସହରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି, ନୂଆପଡ଼ା-ପଦମପୁର ରାସ୍ତାରେ ଶୀଘ୍ର ଲାଗୁ ହେବ ଇଣ୍ଟେଲିଜେଣ୍ଟ ଟ୍ରାଫିକ ଏନଫୋର୍ସମେଣ୍ଟ ସିଷ୍ଟମ।

by Maraguda Express
0 comments
ନୂଆପଡ଼ା – ୨୨/୦୭-ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଏସ୍‌.ଡି.ଓ., ଆର୍‌ ଆଣ୍ଡ ବି ସୁକାନ୍ତ ଗାର୍ଡିଆ ସମସ୍ତଙ୍କୁ ସ୍ୱାଗତ ଜଣାଇ ପୂର୍ବ ବୈଠକର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।
ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକାରୀ ଯାନ ବ୍ୟତୀତ ଅନ୍ୟ ସମସ୍ତ ଭାରୀ ଯାନ ଚଳାଚଳ ଉପରେ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ନୂଆପଡ଼ା-ପଦମପୁର ରାସ୍ତାରେ ଶୀଘ୍ର ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (IEMS) କାର୍ଯ୍ୟକାରୀ ହେବ। ଏହି ଅତ୍ୟାଧୁନିକ ବ୍ୟବସ୍ଥା ମାଧ୍ୟମରେ ଅତ୍ୟଧିକ ବେଗ, ହେଲମେଟ ଏବଂ ସିଟ୍‌ବେଲ୍ଟ ବ୍ୟବହାର ନ କରିବା ସମେତ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଂଘନ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯିବ।
ଜିଲ୍ଲାପାଳ ‘ନୋ ହେଲମେଟ-ନୋ ପେଟ୍ରୋଲ’ ଅଭିଯାନକୁ ଅଧିକ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଜ ଅଧୀନସ୍ଥ କର୍ମଚାରୀମାନେ ହେଲମେଟ ପିନ୍ଧି କାର୍ଯ୍ୟାଳୟକୁ ଆସୁଥିବା ସୁନିଶ୍ଚିତ କରିବାକୁ କହିଥିଲେ। କଲେକ୍ଟରେଟର ସମସ୍ତ କର୍ମଚାରୀଙ୍କ କ୍ଷେତ୍ରରେ ଏହାର ଅନୁପାଳନ ତଦାରଖ ଦାୟିତ୍ୱ ଉପ ଜିଲ୍ଲାପାଳ (ପ୍ରତିଷ୍ଠା)ଙ୍କୁ ଦିଆଯାଇଛି।
ଜିଲ୍ଲାରେ ସ୍ଥାପିତ ୧୦ଟି ହେଲମେଟ ହବର କାର୍ଯ୍ୟକାରିତାର ସମୀକ୍ଷା କରି ଜିଲ୍ଲାପାଳ ସେଗୁଡ଼ିକର ନିୟମିତ ତଦାରଖ ଉପରେ ଗୁରୁତ୍ୱ ଦେଇଥିଲେ। ସିଡିଏମ୍ ଓ ପିଏଚ୍‌ଓଙ୍କୁ ସମସ୍ତ ହେଲମେଟ ହବ୍‌ରେ ପ୍ରଥମିକ ଚିକିତ୍ସା ବାକ୍ସ ଉପଲବ୍ଧ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ସଡ଼କ ସୁରକ୍ଷା ସଙ୍କେତ ଫଳକର ଆବଶ୍ୟକତା ଥିବା ସ୍ଥାନଗୁଡ଼ିକୁ ପୁନଃ ସର୍ଭେ କରି ଆବଶ୍ୟକ ପଦକ୍ଷେପ ନେବାକୁ ଆରଟିଓ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଆରଟିଓ ପକ୍ଷରୁ ଉପସ୍ଥାପିତ ଏନଫୋର୍ସମେଣ୍ଟ ତଥ୍ୟ ଅନୁଯାୟୀ, ଜୁନ୍-୨୦୨୬ ମାସରେ ମୋଟ ୯୬୫ଟି ଟ୍ରାଫିକ ନିୟମ ଉଲ୍ଲଂଘନ ମାମଲା ଚିହ୍ନଟ କରାଯାଇଥିଲା। ସେଥିମଧ୍ୟରେ ୩୦୯ଟି ହେଲମେଟ ବିନା ଗାଡ଼ି ଚଳାଇବା, ୧୫୦ଟି ଅତ୍ୟଧିକ ବେଗ, ୧୯ଟି ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଇବା ସମେତ ଅନ୍ୟାନ୍ୟ ମାମଲା ରହିଛି। ଏହି ସମୟ ମଧ୍ୟରେ ୪୭୮ଟି ଇ-ଚାଲାଣ ଫଇସଲା ହୋଇ ମୋଟ ୨୦ ଲକ୍ଷ ୭୫ ହଜାର ୮୦୮ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ୧୬୦ଟି ଡ୍ରାଇଭିଂ ଲାଇସେନ୍ସ ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦିଆଯାଇଥିଲା।
ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ୩,୨୬୩ଟି ହେଲମେଟ ବିନା ଗାଡ଼ି ଚଳାଇବା ଏବଂ ୧୫୪ଟି ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଇବା ମାମଲାରେ ଚାଲାଣ କରାଯାଇଛି।
ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ସିଡିଏମ୍ ଓ ପିଏଚ୍‌ଓ ଡା. ଦ୍ୱାରିକାନାଥ ଶତପଥୀ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ସୁଖେନ୍ଦୁ ରାୟ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ମୋଟର ଯାନ ନିରୀକ୍ଷକ ଉପେନ୍ଦ୍ର ପୁସିକା, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ନୂଆପଡ଼ା, ଖରିଆର ଓ ଖରିଆର ରୋଡ଼ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha