53
ନୂଆପଡ଼ା -୨୧/୦୭- ଖରିଆର ରୋଡ୍ ସହର ଦେଇ ଯାଇଥିବା ଜାତୀୟ ରାଜପଥ–୩୫୩ (NH-353) ର ଅତ୍ୟନ୍ତ ଶୋଚନୀୟ ଓ ବିପଦସଙ୍କୁଳ ଅବସ୍ଥାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ଦୁଇ ବର୍ଷ ଧରି ରାସ୍ତାଟି ଖାଲଖମାରେ ଭରିଯାଇଥିବାରୁ ପ୍ରତିଦିନ ଯାତାୟାତ କରୁଥିବା ହଜାର ହଜାର ଲୋକ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି। ଏହି ପରିସ୍ଥିତିର ସ୍ଥାୟୀ ସମାଧାନ ଦାବି କରି ଖରିଆର ରୋଡ୍ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର ଅଧ୍ୟକ୍ଷା ଡଃ ସୋନିଆ ଜୈନ ଭୁବନେଶ୍ୱରସ୍ଥିତ ଜାତୀୟ ରାଜପଥର ମୁଖ୍ୟ ଯନ୍ତ୍ରୀଙ୍କୁ ପତ୍ର ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ସହରର ମଧ୍ୟଭାଗ ଦେଇ ଯାଇଥିବା ଏହି ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇ ପିଚୁ ସ୍ତର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଓଡ଼ିଶା ଓ ଛତିଶଗଡ଼କୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଦେଇ ପ୍ରତିଦିନ ସ୍କୁଲ ଛାତ୍ରଛାତ୍ରୀ, ବ୍ୟବସାୟୀ, ରୋଗୀ, ଆମ୍ବୁଲାନ୍ସ ସହ ହଜାର ହଜାର ଯାନବାହନ ଚଳାଚଳ କରୁଥାଏ। ବର୍ଷା ଦିନରେ ଖାଲରେ ପାଣି ଜମି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ଆହୁରି ବଢ଼ିଯାଇଛି ଏବଂ ସାଧାରଣ ଜୀବନଯାତ୍ରା ସହ ବ୍ୟବସାୟିକ କାର୍ଯ୍ୟକଳାପ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହେଉଛି।ଅଧ୍ୟକ୍ଷା ଆହୁରି ଦର୍ଶାଇଛନ୍ତି ଯେ, ଜେନେରାଲ୍ ମେଣ୍ଟେନାନ୍ସ କରୁଥିବା ସଂସ୍ଥା RAPS Infratech Pvt. Ltd. ପକ୍ଷରୁ ପ୍ୟାଚ୍ କାମ ଚାଲିଥିଲେ ମଧ୍ୟ ବର୍ତ୍ତମାନର କ୍ଷତିଗ୍ରସ୍ତ ସ୍ଥିତିରେ କେବଳ ତାଳିପକା ମରାମତି ଦୀର୍ଘସ୍ଥାୟୀ ସମାଧାନ ନୁହେଁ। ବୈଷୟିକ ରିପୋର୍ଟ ଅନୁସାରେ ତୁରନ୍ତ ନୂତନ ପିଚୁ ସ୍ତର (Fresh Bituminous Overlay) ବିଛାଇବା ହିଁ ଏହାର ସ୍ଥାୟୀ ପ୍ରତିକାର ବୋଲି ସେ ଦାବି କରିଛନ୍ତି।ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ-୩୫୩ର ସମ୍ପୂର୍ଣ୍ଣ ଉନ୍ନତିକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ପ୍ରଥମେ ଡ୍ରେନେଜ୍, ମିଡିଆନ୍ ଓ ଅନ୍ୟାନ୍ୟ କାମ ଶେଷ ହେବା ପରେ ରାସ୍ତା କାର୍ଯ୍ୟ ଆରମ୍ଭ ହେବାର ଯୋଜନା ରହିଛି। ଏହି ପ୍ରକ୍ରିୟାରେ ପ୍ରାୟ ଦୁଇ ବର୍ଷ ସମୟ ଲାଗିପାରେ। ତେଣୁ ଜନସୁରକ୍ଷା ଓ ଜନହିତକୁ ଦୃଷ୍ଟିରେ ରଖି ଡ୍ରେନ୍ କାମ ସହ ସମାନ୍ତରାଳ ଭାବେ କିମ୍ବା ତା’ ପୂର୍ବରୁ ରାସ୍ତାରେ ନୂତନ ପିଚୁ କାମକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ଡଃ ସୋନିଆ ଜୈନ ମୁଖ୍ୟ ଯନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ଏହି ଗୁରୁତର ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି।