132
ନୂଆପଡ଼ା ୨୨/୭ -ନୂଆପଡ଼ା ଜିଲ୍ଲାର ସିନାପାଲି ଠାରେ ଜିଲ୍ଲା ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ନୂଆପଡ଼ା ଏବଂ ସିନାପାଲି ବ୍ଲକ ପ୍ରଶାସନର ମିଳିତ ଆନୁକୂଳ୍ୟରେ ବ୍ଲକସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ସିନାପାଲି ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ସୁବିଧା, ସ୍ୱାସ୍ଥ୍ୟ ପରୀକ୍ଷା ଓ ପଞ୍ଜୀକରଣ ସେବା ପ୍ରଦାନ କରାଯାଇଥିଲା।ଶିବିରରେ ସିନାପାଲି ବିଡିଓ କାର୍ମୀ ଓରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ଆଶା ଜୈନ, ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ଗୁଆଲ୍, ସିଡିପିଓ ଉର୍ମିଳା ମହାପାତ୍ର, ସମିତି ସଭ୍ୟ ମନୀଷ ପଟେଲ ଏବଂ ଜିଲ୍ଲା ଭିନ୍ନକ୍ଷମ ସମିତି ସମ୍ପାଦକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବ୍ଲକ ମଙ୍ଗଳ ଅଧିକାରୀ ସୁନୀଲ କୁମାର ସାମଲ ସଭା ପରିଚାଳନା କରିଥିଲେ। ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।
ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୮୫ ଜଣ, ମାନସିକ ବିଭାଗରେ ୨୬ ଜଣ, କର୍ଣ୍ଣବାଧିତ ବିଭାଗରେ ୪୫ ଜଣ ଏବଂ ରକ୍ତ ଶିକୁଳି ବିଭାଗରେ ୧୫ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ପଞ୍ଜୀକରଣ କରାଯାଇଥିଲା। ସେହିପରି ବସ୍ ପାସ ପାଇଁ ୫୭ ଜଣ, ରେଳ ପାସ ପାଇଁ ୪୦ ଜଣ, ଋଣ ସହାୟତା ପାଇଁ ୫ ଜଣ ଏବଂ ଭତ୍ତା ପାଇଁ ୨୦ ଜଣ ଆବେଦନ କରିଥିଲେ।ଏହି ଅବସରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା. ଅମର ସ୍ୱରୂପ ମୁଣ୍ଡ, ଚକ୍ଷୁ ବିଶେଷଜ୍ଞ ଡ଼ା. ମନୋଜ କୁମାର ଦୋରା, ମାନସିକ ରୋଗ ବିଶେଷଜ୍ଞ ଡ଼ା. ଅନିଲ କୁମାର ନାୟକ, ଶ୍ରବଣ ବିଶେଷଜ୍ଞ ଡ଼ା. ଅନୁପ ଅଗ୍ରୱାଲ ଓ ଘନଶ୍ୟାମ ସାହୁ, ଏବଂ ରକ୍ତ ଶିକୁଳି ବିଶେଷଜ୍ଞ ଡ଼ା. ରଞ୍ଜିତ ରାଉତ ଉପସ୍ଥିତ ରହି ରୋଗୀମାନଙ୍କର ପରୀକ୍ଷା କରିଥିଲେ।କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ସାମାଜିକ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସାହୁ, ସିନାପାଲି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହରେକୃଷ୍ଣ ନାୟକ, ଓମ୍ ପ୍ରକାଶ ମାଝୀ, ଦୁଷ୍ମନ୍ତ ନାଗଙ୍କ ସମେତ ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।