46
ନୂଆପଡ଼ା -୨୦/୭- ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ପରିସରରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂଙ୍କ ଉପସ୍ଥିତିରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଶିବିରରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ସେଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଥିଲେ।ଏହି ଶିବିରରେ ମୋଟ ୧୧୮ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୩ଟି ବ୍ୟକ୍ତିଗତ ଏବଂ ୧୫ଟି ସାମୂହିକ ଅଭିଯୋଗ ଥିଲା। ପ୍ରତ୍ୟେକ ଅଭିଯୋଗର ଗୁରୁତ୍ୱର ସହ ଶୁଣାଣୀ କରାଯାଇ ଯଥାଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା।
ମାନବିକତାର ପରିଚୟ ଦେଇ ଶିବିରରେ ରେଡକ୍ରସ ପାଣ୍ଠିରୁ ଦୁଇଜଣ ଅସହାୟ ବ୍ୟକ୍ତିଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଲୋହରାପାଲି ଗ୍ରାମର ସଞ୍ଜୁଲତା ନାଏକଙ୍କୁ ୧୦,୦୦୦ ଟଙ୍କା ଏବଂ ସିନାପାଲି ବ୍ଲକ ଗଣ୍ଡାବାହାଳି ଗ୍ରାମର ତାରା ବାଗଙ୍କୁ ୫,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।
ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଦ୍ୱାରିକାନାଥ ଶତପଥୀ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଏ. ମାଧବୀଲତା, ଖଡ଼ିଆଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।ଏହାସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଓ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରାଯାଇଥିଲା। ଦୋହେଲପଡ଼ା ଗ୍ରାମ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା, ‘ଝିଅ ପାଇଁ ଗଛଟିଏ’, ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ ଏବଂ ‘ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା’ ଅଭିଯାନ ଅଧୀନରେ ସଚେତନତା କାର୍ଯ୍ୟକ୍ରମ ସହ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ‘ପ୍ରାଣୀ ପାଇଁ ଦିନଟିଏ’ ଶୀର୍ଷକରେ ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସା ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।