82
ନୂଆପଡ଼ା, ୨୦/୦୭ : ନୂଆପଡ଼ା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆଜି ଚଳାଯାଇଥିବା ସ୍ୱତନ୍ତ୍ର ଚଢ଼ାଉରେ ଏନ୍ଡିପିଏସ୍ (NDPS) ଆଇନ ଅନ୍ତର୍ଗତ ଦୁଇଟି ପୃଥକ ମାମଲା ରୁଜୁ କରାଯିବା ସହ ମୋଟ ୧୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଅଭିଯାନରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କୁ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନ୍ୟାୟାଳୟରେ ହାଜର କରାଯାଇଛି।
ପ୍ରଥମ ଘଟଣାରେ ଖରିଆର ରୋଡ଼ ସ୍ଥିତ ସ୍ୱସ୍ତିକ ଲଜ୍ ସମ୍ମୁଖରେ ଅବକାରୀ ବିଭାଗ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ କନ୍ଧମାଳ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର କଁହର (୨୯) ଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଅବକାରୀ ରେଞ୍ଜର ଇନ୍ସପେକ୍ଟର ହୀରାବତୀ ଠାଟି ପି.ଆର୍. ନଂ–୯୨/୨୬-୨୭ ଅନୁଯାୟୀ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନ୍ତର୍ଗତ ମାମଲା ରୁଜୁ କରିଛନ୍ତି।
ସେହିପରି ଦ୍ୱିତୀୟ ଘଟଣାରେ ଖଡ଼ିଆର ରୋଡ଼ ରେଳ ଷ୍ଟେସନ ରାସ୍ତା ନିକଟରେ ଚଢ଼ାଉ କରାଯାଇ ୬ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାରେ କନ୍ଧମାଳ ଜିଲ୍ଲାର ସୁଫଳ କଁହର (୨୬) ଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସିଦ୍ଧାନ୍ତ ପାତ୍ର ପି.ଆର୍. ନଂ–୧୧୩/୨୬-୨୭ ଅନୁଯାୟୀ ଏନ୍ଡିପିଏସ୍ ଆଇନ, ୧୯୮୫ର ଧାରା ୨୦(ବି)(ii)(ବି) ଅନ୍ତର୍ଗତ ମାମଲା ରୁଜୁ କରିଛନ୍ତି।ଉଭୟ ଅଭିଯୁକ୍ତଙ୍କୁ ନ୍ୟାୟାଳୟରେ ହାଜର କରାଯାଇଥିବାବେଳେ ମାନ୍ୟବର ଜିଲ୍ଲା ଓ ଦୌରା ଜଜ୍ଙ୍କ ଆଦେଶକ୍ରମେ ସେମାନଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଛି। ଅବକାରୀ ବିଭାଗର ଏହି ସଫଳ ଚଢ଼ାଉ ନିଶା କାରବାର ବିରୋଧରେ ପ୍ରଶାସନର କଠୋର ଆଭିମୁଖ୍ୟକୁ ପୁଣିଥରେ ସ୍ପଷ୍ଟ କରିଛି।