77
ନୂଆପଡ଼ା -୦୨/୧୦- ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ, ଓଟିଭି ଜିଲ୍ଲା ପ୍ରତିନିଧି ତଥା ସୁନାବେଡ଼ା ବନ୍ୟପ୍ରାଣୀ ୱାର୍ଡେନ ମାୟାଧର ସରାଫ ରାଜ୍ୟସ୍ତରୀୟ ‘ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ–୨୦୨୬’ ରେ ସମ୍ମାନିତ ହୋଇଛନ୍ତି।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ସ୍ଥିତ ଆରସିସିଏଫ୍ (RCCF) କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ପ୍ରତି ଶ୍ରୀ ସରାଫଙ୍କ ଦୀର୍ଘଦିନର ଆଗ୍ରହ, ସଚେତନତା ସୃଷ୍ଟି ଏବଂ ସଂରକ୍ଷଣମୂଳକ କାର୍ଯ୍ୟକଳାପରେ ଅବଦାନକୁ ବିଚାରକରି ଏହି ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ସ୍ୱରୂପ ମାୟାଧର ସରାଫଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ବନ୍ୟପ୍ରାଣୀ ସୁରକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ତାଙ୍କର ନିରନ୍ତର ପ୍ରୟାସକୁ ଏହି ସମ୍ମାନ ମାନ୍ୟତା ଦେଇଛି।
ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘଦିନ ଧରି ସକ୍ରିୟ ଥିବା ଶ୍ରୀ ସରାଫ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ମଧ୍ୟ ସାମ୍ନାକୁ ଆଣିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ୟପ୍ରାଣୀ ଓ ପ୍ରାକୃତିକ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଆସୁଛନ୍ତି। ସୁନାବେଡ଼ା ଅଞ୍ଚଳର ଜୈବ ବିବିଧତା ଓ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରତି ତାଙ୍କର ଅବଦାନ ଏହି ସମ୍ମାନର ଏକ ପ୍ରମୁଖ ଆଧାର ହୋଇଛି।