14
ନୂଆପଡ଼ା -୦୨/୧୧- ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପ୍ରଶାସନକୁ ପହଞ୍ଚାଇବା ସହ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କୁ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପଳସିପାଣି ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି ‘ଗାଁରେ ପ୍ରଶାସନ’ କାର୍ଯ୍ୟକ୍ରମ। ସ୍ଥାନୀୟ ପଞ୍ଚାୟତ ସଭାଗୃହରେ ଆୟୋଜିତ ଏହି ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। କୋମନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପବିତ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ପଳସିପାଣି ସରପଞ୍ଚ ଗଙ୍ଗାରାମ ମାଝୀ, ପିଇଓ ଟିକଚନ ସାହୁ, ଗ୍ରାମ ରୋଜଗାର ସେବିକା ପଦ୍ମିନୀ ଶବର, ଗ୍ରାମୀଣ ଗୃହ ଅଧିକାରୀ ତ୍ରିଲୋଚନ ରାଉତ, ଏପିଓ ଜିତେନ୍ଦ୍ର ସାହୁ, ବ୍ଲକ ଯୋଗାଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରାଉତ, ସାମାଜିକ ସୁରକ୍ଷା ଅଧିକାରୀ ହିତେଶ ଆଡଭାଇ ଏବଂ ସିଡିପିଓ ଦେବକୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହ ଅଙ୍ଗନବାଡ଼ି ସୁପରଭାଇଜର, ସମିତି ସଭ୍ୟ ସୁବୋଧ ଭୋଇ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା, ମିଶନ ଶକ୍ତିର ମହିଳା, ଏବିକେ ଏବଂ ଏସ୍ଏଚ୍ଜି ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇଥିଲେ। ଶିବିରରେ ଗ୍ରାମବାସୀଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା, ଆବାସ ଯୋଜନା ସମେତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସମସ୍ୟା ଉପସ୍ଥାପନ କରାଯାଇଥିଲା। ବିଡିଓ ଶ୍ରୀ ସାମଲ ଅଭିଯୋଗଗୁଡ଼ିକର ଶୁଣାଣି କରିବା ସହ କେତେକ ହିତାଧିକାରୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିଥିଲେ। ଅନ୍ୟ ଅଭିଯୋଗଗୁଡ଼ିକର ଯଥାଶୀଘ୍ର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଭିବିଜି ରାମଜି ଯୋଜନା ଅଧୀନରେ ସମସ୍ତ ଶ୍ରମିକଙ୍କୁ ନିୟମାନୁଯାୟୀ କାମ ଯୋଗାଇଦେବା ସହ ସେମାନଙ୍କ ପ୍ରାପ୍ୟ ମଜୁରି ଠିକ୍ ସମୟରେ ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କହିଥିଲେ।
ଏହି ଅବସରରେ ବିଡିଓ ଶ୍ରୀ ସାମଲ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଏହାର ଉଦ୍ଦେଶ୍ୟ ଏବଂ ଯୋଗ୍ୟ ହିତାଧିକାରୀମାନେ କିପରି ଯୋଜନାର ଲାଭ ପାଇପାରିବେ, ସେ ସମ୍ପର୍କରେ ଲୋକଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।
ପଳସିପାଣି ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟକୁ ଆଗକୁ ଜାରି ରଖିବା ସହ ଗ୍ରାମର ସାମଗ୍ରିକ ବିକାଶ ପାଇଁ ସରପଞ୍ଚ ଗଙ୍ଗାରାମ ମାଝୀ ନିଜର ପ୍ରଚେଷ୍ଟା ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଗଠନର ଲକ୍ଷ୍ୟ ହାସଲ ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତେ ମିଳିତ ଭାବେ କାମ କରିବାକୁ ଶିବିରରେ ଆହ୍ୱାନ ଦିଆଯାଇଥିଲା।
You Might Also Like
- ବୋଡେ଼ନ ବ୍ଲକ ଖଇରା ଅଞ୍ଚଳ ରେ କମ ବର୍ଷା, ଚାଷୀକୁଳ ହତାଶ
- ସିନାପାଲି ବ୍ଲକ: ନିଲଜି ଠାରୁ ଗଡରାମାଲ ରାସ୍ତା ପ୍ରତି ବିଡିଓ ଙ୍କ ଦୃଷ୍ଟି ପଡୁ
- ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଆତ୍ମ ସୁରକ୍ଷା’ ତାଲିମ ଶିବିର ଉଦଯାପିତ : ଶତାଧିକ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ।
- ନୂଆପଡ଼ାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିବସ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଏବଂ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ।