Home ରାଜ୍ୟକଥା ରଖିଲେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା : ସାତ ଦିନରେ ମିଳିଲା ରାସନ କାର୍ଡ, ଲଛିପୁର ଗାଁରେ ଖୁସିର ଲହରୀ।

କଥା ରଖିଲେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା : ସାତ ଦିନରେ ମିଳିଲା ରାସନ କାର୍ଡ, ଲଛିପୁର ଗାଁରେ ଖୁସିର ଲହରୀ।

by Maraguda Express
0 comments
ନୂଆପଡ଼ା -୧୧/୦୬ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ। ଦୀର୍ଘ ଦିନ ଧରି ସରକାରୀ ସୁବିଧାରୁ ବଞ୍ଚିତ ଥିବା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ନିଜେ ପହଞ୍ଚି ସେ ରାସନ କାର୍ଡ ବଣ୍ଟନ କରିଛନ୍ତି। ମାତ୍ର ସାତ ଦିନ ଭିତରେ ପ୍ରଶାସନିକ ତତ୍ପରତା ପ୍ରକାଶ କରି ସେ ନିଜର ପ୍ରତିବଦ୍ଧତା ପ୍ରମାଣିତ କରିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
ସୂଚନା ଅନୁସାରେ, ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲଛିପୁର ସତନାମୀପଡ଼ା ର ଅନେକ ପରିବାର ମୌଳିକ ସମସ୍ୟା ରେ ଜର୍ଜରିତ ଥିବା ନେଇ ବ୍ଲକ ଅଧ୍ୟକ୍ଷା ଖବର ପାଇଥିଲେ। ଏହା ପରେ ସେ ବିଳମ୍ବ ନକରି ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କୁ ସାଥିରେ ଧରି ଉକ୍ତ ପଡ଼ାକୁ ଯାଇ ସରଜମିନ ତଦନ୍ତ କରିଥିଲେ। ତଦନ୍ତ ସମୟରେ ପ୍ରାୟ ୧୫ ରୁ ୨୦ ଟି ପରିବାର ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ, ଅନେକ ଯୋଗ୍ୟ ପରିବାରଙ୍କ ପାଖରେ ରାସନ କାର୍ଡ ମଧ୍ୟ ନଥିବା ଜଣାପଡ଼ିଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ୭ ଦିନରେ ସମାଧାନ ହୋଇପାରିଛି ।
ଲୋକଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦ ମାତ୍ର ୭ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀ ଙ୍କ ପାଇଁ ରାସନ କାର୍ଡ ପ୍ରସ୍ତୁତ କରାଇଥିଲେ। ଗତକାଲି ସେ ନିଜ ସମର୍ଥକ ଓ ଯୋଗାଣ ବିଭାଗର କର୍ମଚାରୀଙ୍କ ସହ ଲଛିପୁର ଗ୍ରାମକୁ ଯାଇ ନିଜ ହାତରେ ଏହି ରାସନ କାର୍ଡଗୁଡ଼ିକୁ ବଣ୍ଟନ କରିଛନ୍ତି।
“ସରକାରଙ୍କ ଜନକଲ୍ୟାଣ ମୂଳକ ଯୋଜନାର ଲାଭ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ମୋର ପ୍ରାଥମିକତା। ଆଜି ରାସନ କାର୍ଡ ଦିଆଯାଇଛି ଏବଂ ଖୁବ୍‌ଶୀଘ୍ର ସେମାନଙ୍କୁ ଆବାସ ଗୃହ ମଧ୍ୟ ଯୋଗାଇ ଦିଆଯିବ। ଜନସାଧାରଣ ମୋ ଉପରେ ଯେଉଁ ବିଶ୍ୱାସ ରଖିଛନ୍ତି, ସେହି ବିଶ୍ୱାସକୁ ମୁଁ କେବେ ଭାଙ୍ଗିବାକୁ ଦେବିନାହିଁ।” ବୋଲି ଖଡିଆଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦ ପ୍ରକାଶ କରିଛନ୍ତି।
ରାସନ କାର୍ଡ ପାଇବା ପରେ ସମ୍ପୃକ୍ତ ପରିବାର ଗୁଡ଼ିକ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ହିତାଧିକାରୀମାନେ ଅଧ୍ୟକ୍ଷାଙ୍କ ଏହି ତ୍ୱରିତ ପଦକ୍ଷେପକୁ ସ୍ୱାଗତ କରିବା ସହ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ସେମାନଙ୍କ କହିବା ଅନୁସାରେ, ରାସନ କାର୍ଡ ନଥିବା ଯୋଗୁଁ ସେମାନେ ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ, ଯାହା ଏବେ ଦୂର ହୋଇପାରିଛି।
ଅଞ୍ଚଳବାସୀଙ୍କ ମତରେ – ବ୍ଲକ ଅଧ୍ୟକ୍ଷାଙ୍କ ଏହି କାର୍ଯ୍ୟ ଜନ ସମସ୍ୟା ପ୍ରତି ତାଙ୍କର ଦାୟିତ୍ୱବୋଧ ଓ ଜନସେବା ପ୍ରତି ଥିବା ନିଷ୍ଠାକୁ ଦର୍ଶାଉଛି। ତାଙ୍କର ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବିପୁଳ ସଂଖ୍ୟାରେ ସ୍ଵାଗତ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha