30
ନୂଆପଡ଼ା- ୪/୮ – ରକ୍ତଦାନ ହେଉଛି ମହାଦାନ। ଏହା କେବଳ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇବାର ମାଧ୍ୟମ ନୁହେଁ, ବରଂ ମାନବିକତା, ସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ନିଦର୍ଶନ। ଏହି ମହାନ ବାର୍ତ୍ତାକୁ ସମାଜ ମଧ୍ୟରେ ପହଞ୍ଚାଇବା ପାଇଁ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀଙ୍କ ଆରୋଗ୍ୟ କାମନା କରି ସ୍ୱଇଚ୍ଛାରେ ବି-ନେଗେଟିଭ (B-Negative) ରକ୍ତଦାନ କରିଛନ୍ତି।
ରକ୍ତଦାନ ପରେ ବିଧାୟକ ଶ୍ରୀ ଢୋଲକିଆ କହିଥିଲେ ଯେ, “ଜନସେବା ହିଁ ମୋ ଜୀବନର ଲକ୍ଷ। ଜଣେ ମଣିଷର ଜୀବନ ବଞ୍ଚାଇବାଠାରୁ ବଡ଼ ପୁଣ୍ୟ କାର୍ଯ୍ୟ ଆଉ କିଛି ନାହିଁ। ଯଦି ମୋର ରକ୍ତ ଜଣେ ରୋଗୀଙ୍କ ଜୀବନ ରକ୍ଷା କରିପାରେ, ତାହାଠାରୁ ବଡ଼ ସନ୍ତୋଷ ଆଉ କିଛି ହୋଇପାରେ ନାହିଁ।”ସେ ଆହୁରି କହିଥିଲେ ଯେ, ଅନେକ ସମୟରେ ବି-ନେଗେଟିଭ ଭଳି ଦୁର୍ଲଭ ରକ୍ତଗୋଷ୍ଠୀର ଅଭାବରୁ ରୋଗୀମାନେ ଗୁରୁତର ସମସ୍ୟାରେ ପଡ଼ନ୍ତି। ଏପରି ସମୟରେ ସମାଜର ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଆଗକୁ ଆସି ସ୍ୱଇଚ୍ଛାକୃତ ରକ୍ତଦାନ କଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ସମ୍ଭବ ହେବ।
ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଥିବା ବେଳେ, ଯୁବପିଢ଼ି ଓ ସାଧାରଣ ଲୋକଙ୍କୁ ନିୟମିତ ରକ୍ତଦାନ ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।ସମାଜରେ ରକ୍ତର ଅଭାବ ଦୂର କରିବା ଏବଂ ଜରୁରୀ ପରିସ୍ଥିତିରେ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆଗକୁ ଆସି ସ୍ୱଇଚ୍ଛାରେ ରକ୍ତଦାନ କରିବାକୁ ବିଧାୟକ ଜୟ ଢୋଲକିଆ ଆହ୍ୱାନ ଜଣାଇଛନ୍ତି। ତାଙ୍କର ଏହି ଉଦାହରଣ ସମାଜରେ ସେବା, ସହଯୋଗ ଓ ମାନବିକତାର ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।