91
ନୂଆପଡ଼ା -୩୦/୬- ନୂଆପଡ଼ା ଜିଲ୍ଲାର ବୋଡ଼େନ ସଦରମହକୁମା ସ୍ଥିତ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (ଜେଏମଏଫସି) କୋର୍ଟ ଗେଟ୍ ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟର ଅବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଉକ୍ତ ଖୁଣ୍ଟଟି ବହୁ ମାତ୍ରାରେ ବଙ୍କା ହୋଇ ତଳ ଆଡ଼କୁ ଢଳି ରହିଥିବାରୁ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ପ୍ରକାଶ ପାଉଛି। ସ୍ଥାନୀୟ ସୂଚନା ଅନୁସାରେ, ଉକ୍ତ ବିଦ୍ୟୁତ୍ ଖୁଣ୍ଟରୁ ପ୍ରାୟ ଆଠଜଣ ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ନେଇଛନ୍ତି। ବର୍ଷା ଋତୁରେ ମାଟି କୋହଳିଆ ହୋଇଯାଉଥିବାରୁ ଖୁଣ୍ଟଟି ଆହୁରି ଦୁର୍ବଳ ହେବା ସହ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକାଶ କରିଛନ୍ତି।କୋର୍ଟ ପରିସର ନିକଟରେ ପ୍ରତିଦିନ ବହୁ ସଂଖ୍ୟକ ସାଧାରଣ ଲୋକ, ଆଇନଜୀବୀ ଓ ମକଦ୍ଦମାକାରୀଙ୍କ ଯାତାୟାତ ହେଉଥିବାରୁ ଏହି ବିପଦସଙ୍କୁଳ ଖୁଣ୍ଟକୁ ନେଇ ସୁରକ୍ଷା ଚିନ୍ତା ବଢ଼ିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିପିଡବ୍ଲୁଓଡିଏଲ୍ (TPWODL) ବିଦ୍ୟୁତ୍ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ବିପଦସଙ୍କୁଳ ଖୁଣ୍ଟକୁ ଶୀଘ୍ର ବଦଳାଇବା ପାଇଁ ସ୍ଥାନୀୟ ଲୋକମାନେ ଦୃଢ଼ ଦାବି କରିଛନ୍ତି।