107
🏠 PMAY-U BANDHU ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି।
🎭 ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖରିତ ନଗର।
Table of Contents

ନୂଆପଡ଼ା -୩୧/୦୮- ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏନ୍ଏସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।
ପତାକା ଉତ୍ତୋଳନ ପରେ ଅଧ୍ୟକ୍ଷା ଡଃ. ଜୈନ ବିକଶିତ ଏନ୍ଏସି-୨୦୩୬’ ର ପରିକଳ୍ପନା ଓ ଏହାର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପରେ ସ୍ଥାନୀୟ ଟାଉନ୍ ହଲ୍ଠାରେ ଆୟୋଜିତ ଆଭାସୀ ମାଧ୍ୟମରେ ‘ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ’ ପାଳନ କାର୍ଯ୍ୟକ୍ରମରେ ଏନ୍ଏସି ପକ୍ଷରୁ ଯୋଡ଼ି ହୋଇ ଯୋଗଦେଇଥିଲେ।
ଏହି ଅବସରରେ PMAY-U BANDHU Scheme ଅନ୍ତର୍ଗତ ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଅଧ୍ୟକ୍ଷା ଡଃ. ଜୈନ କହିଥିଲେ ଯେ, ସାମାଜିକ କଲ୍ୟାଣ, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଆବଶ୍ୟକୀୟ ମୌଳିକ ସୁବିଧା ପ୍ରଦାନ କରିବା ଲୋକଙ୍କ ସରକାରର ପ୍ରମୁଖ ଲକ୍ଷ୍ୟ। ସ୍ୱାୟତ୍ତ ଶାସନ ଦିବସ ସହର ବିକାଶ ଓ ଜନକଲ୍ୟାଣର ସଂକଳ୍ପର ପ୍ରତୀକ। ଏହି ଲକ୍ଷ୍ୟକୁ ସାକାର କରି ସମୃଦ୍ଧ, ସୁନ୍ଦର ଓ ବିକଶିତ ଖରିଆର ରୋଡ଼ ଗଢ଼ିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିବ।
କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ଜିଣିଥିଲା।ଏହି ଅବସରରେ ଏନ୍ଏସି ଉପାଧ୍ୟକ୍ଷ ନିଶାନ୍ତ ଡାଗା (ବଣ୍ଟି), ସନ୍ଦୀପ ଶର୍ମା, କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ସମସ୍ତ ୱାର୍ଡର କାଉନସିଲର ଓ ଏନ୍ଏସି କର୍ମଚାରୀ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।