105
ଚାଷୀମାନେ ପଞ୍ଜିକରଣ ଅବଧି ଶେଷ ହେବା ପୂର୍ବରୁ ସମସ୍ୟାର ତୁରନ୍ତ ସମାଧାନ, ଜଙ୍ଗଲ ଜମି ପଟ୍ଟାଧାରୀ ଚାଷୀଙ୍କ ନାମ ପଞ୍ଜିକରଣ ଏବଂ ଧାନ ବିକ୍ରୟ ପାଇଁ ଟୋକନ୍ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
ନୂଆପଡ଼ା -୩୧/୮- ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ପଟ୍ଟା ପାଇଥିବା ଗରିବ ଆଦିବାସୀ ଚାଷୀଙ୍କ ଖରିଫ ଧାନ ବିକ୍ରୟ ପାଇଁ ଚଳିତ ବର୍ଷ ପଞ୍ଜିକରଣ ହୋଇପାରୁ ନଥିବା ନେଇ ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବା ଆଶଙ୍କା ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ପ୍ରାୟ ୨୦ ବର୍ଷ ଧରି ଜଙ୍ଗଲ ଜମିରେ ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀମାନେ ପୂର୍ବ ବର୍ଷଗୁଡ଼ିକରେ ନିୟମିତ ଭାବେ ନାମ ପଞ୍ଜିକରଣ କରି ଟୋକନ୍ ପାଇବା ସହ ସରକାରୀ ମଣ୍ଡିରେ ଧାନ ବିକ୍ରି କରିଆସୁଥିଲେ।କିନ୍ତୁ ଚଳିତ ଖରିଫ ଋତୁରେ ଅନଲାଇନ୍ ପଞ୍ଜିକରଣ ସମସ୍ୟା ଯୋଗୁଁ ଚୁଲାଭାଟ ପଞ୍ଚାୟତର ପଣ୍ଡରିପାଣି ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପଟ୍ଟାଧାରୀ ଚାଷୀ ଟୋକନ୍ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି। ଏହା ଫଳରେ ଚାଷୀମାନେ ଅଭାବୀ ଧାନ ବିକ୍ରିର ଶିକାର ହେବା ନେଇ ଚିନ୍ତା ବଢ଼ିଛି।
ଏହି ସମସ୍ୟାର ତୁରନ୍ତ ସମାଧାନ ଦାବିରେ ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀ ଓ ଆଦିବାସୀ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ତିରଥ ମାଝୀ, କେଶରାମ ରାଉତ, ହୀରାସିଂହ ମାଝୀ, ଦୀନନାଥ ମାଝୀଙ୍କ ସମେତ ଶତାଧିକ ଚାଷୀଙ୍କ ଏକ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଲିଖିତ ଆବେଦନପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ସୁପ୍ରିୟା ପ୍ରିୟଦର୍ଶିନୀ ଙ୍କୁ ଆଜି ପ୍ରଦାନ କରିଛନ୍ତି।