Home ରାଜ୍ୟଲୋକାର୍ପଣ ପୂର୍ବରୁ ଭୁଶୁଡ଼ିଲା ପାଚେରୀ : ବିବାଦରେ ୯ କୋଟିର ଖଡ଼ିଆଳ ନୂତନ ବସଷ୍ଟାଣ୍ଡ, ତଦନ୍ତ ଦାବି କଲେ ବିଧାୟକ।

ଲୋକାର୍ପଣ ପୂର୍ବରୁ ଭୁଶୁଡ଼ିଲା ପାଚେରୀ : ବିବାଦରେ ୯ କୋଟିର ଖଡ଼ିଆଳ ନୂତନ ବସଷ୍ଟାଣ୍ଡ, ତଦନ୍ତ ଦାବି କଲେ ବିଧାୟକ।

by Maraguda Express
0 comments
ନୂଆପଡ଼ା ୭/୭- ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଖଡ଼ିଆଳର ନୂତନ ବସଷ୍ଟାଣ୍ଡ ଲୋକାର୍ପଣ ପୂର୍ବରୁ ହିଁ ଏକ ବଡ଼ ବିବାଦ ଘେରକୁ ଚାଲିଆସିଛି। ଗତ କିଛି ଦିନ ହେବ ଜାରି ରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଶନିବାର ରାତିରେ ବସଷ୍ଟାଣ୍ଡର ନବନିର୍ମିତ ପାଚେରୀର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଛି। ଏହି ଘଟଣା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି।
ଉଦଘାଟନ ପୂର୍ବରୁ ପଦାରେ ପଡ଼ିଲା ନିର୍ମାଣର ଅସଲ ଚେହେରା।
ସୂଚନା ଅନୁସାରେ, ବସଷ୍ଟାଣ୍ଡର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଆନୁଷ୍ଠାନିକ ଉଦଘାଟନ ହୋଇନଥିଲା। ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଅବିରତ ବର୍ଷାକୁ ପ୍ରଥମ ଝଟକାରେ ହିଁ ସାମ୍ନା କରିପାରିନାହିଁ ଏହି କୋଟି କୋଟି ଟଙ୍କାର ପ୍ରକଳ୍ପ। ପାଚେରୀ ଭୁଶୁଡ଼ିବା ପରେ ଏଥିରେ ବ୍ୟବହୃତ ସାମଗ୍ରୀର ନିମ୍ନମାନ ଓ କାରିଗରୀ ତ୍ରୁଟିକୁ ନେଇ ସନ୍ଦେହ ଆହୁରି ଦୃଢ଼ ହୋଇଛି।
ଘଟଣାସ୍ଥଳରେ ବିଧାୟକ – “ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ”
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ସେ ଘଟଣାସ୍ଥଳରୁ ହିଁ ଫୋନ୍ ଯୋଗେ ବିଭାଗୀୟ ଉଚ୍ଚ ପଦାଧିକାରୀମାନଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହ ଏହାକୁ “ଅତ୍ୟନ୍ତ ଦୁର୍ଭାଗ୍ୟଜନକ” ବୋଲି ଅଭିହିତ କରିଛନ୍ତି।
ବିଧାୟକଙ୍କ ପ୍ରତିକ୍ରିୟା “ଉଦଘାଟନ ପୂର୍ବରୁ ଯଦି ଏଭଳି ଭାବେ ପାଚେରୀ ଭୁଶୁଡ଼ି ପଡ଼ୁଛି, ତେବେ ସମ୍ପୂର୍ଣ୍ଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କେତେ ସୁଦୃଢ଼ ତାହା ସହଜରେ ଅନୁମାନ କରାଯାଇପାରେ। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।”
ବୋଲି ଖଡିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି।
କାଠଗଡ଼ାରେ ଓଡ଼ିଶା ପୋଲିସ ହାଉସିଂ ବୋର୍ଡ।
ଉଲ୍ଲେଖଯୋଗ୍ୟ ଯେ, ଏହି ବୃହତ୍ ବସଷ୍ଟାଣ୍ଡ ନିର୍ମାଣର ଦାୟିତ୍ୱ ଓଡ଼ିଶା ପୋଲିସ ହାଉସିଂ ବୋର୍ଡ (OPHWC) ଉପରେ ନ୍ୟସ୍ତ ଥିଲା। ପ୍ରାୟ ୯ କୋଟି ଟଙ୍କାର ସରକାରୀ ପାଣ୍ଠି ବ୍ୟୟରେ ହୋଇଥିବା ଏହି ପ୍ରକଳ୍ପରେ ବଡ଼ ଧରଣର ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି। ବିଧାୟକ ମଧ୍ୟ ସମ୍ପୃକ୍ତ ଠିକାଦାର ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ତେବେ ଏତେ ବଡ଼ ଘଟଣା ଘଟିବା ସତ୍ତ୍ୱେ ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ସ୍ପଷ୍ଟୀକରଣ କିମ୍ବା ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha