
ନୂଆପଡ଼ା -୩/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲା ଖଡିଆଳ ବନ ବିଭାଗ ଶୁକ୍ରବାର ପୃଥକ୍ ସ୍ଥାନରେ ଚଢାଉ କରି କଲରା ପତରିଆ ବାଘ ଛାଲ ଓ ୪ ଶମ୍ବର ଶିଙ୍ଗ ଜବତ କରି ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡା ସଦର ବ୍ଲକ ଆମାନାରା ପଞ୍ଚାୟତ ପାତାଲଘୁଟକୁରି ଗ୍ରାମର ମହେଶ ସାହୁ (୬୦), ଗଜାନନ ସାହୁ (୨୭) ଓ ବୋଡେନ ଥାନା ଶରଧାପୁର ଗାଁର ଦିନେଶ ମାଝି (୬୧), ସୁକୁରାମ ଚିନ୍ଦା(୪୬), ପୂର୍ଣ୍ଣଚନ୍ଦ୍ର ମାଝି(୪୫) ଓ ମଧୁସୂଦନ ମାଝି (୫୬)। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଖଡିଆଳ ବନଖଣ୍ଡ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡିଏଫ୍ଓ ଅଜିଜ ଖାନ୍ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗୁରୁବାର ଖଡିଆଳ ବନ ବିଭାଗ କର୍ମଚାରୀ ବୋଡେନ ଶରଧାପୁର ଗାଁରେ କଲରା ପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥ୍ବା କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ସେହି ସମୟରେ ଗୋଟିଏ ବାଘ ଛାଲ ଓ ୨ ଶମ୍ବର ଶିଙ୍ଗ ଜବତ କରି ୪ ଜଣଙ୍କୁ ଗିରଫ କରିଥିଲେ। ହେଲେ ସମ୍ପୃକ୍ତ ୨ ଜଣ ଫେରାର ହୋଇଯାଇଥିଲେ।
ଗିରଫ ଅଭିଯୁକ୍ତମାନଙ୍କୁ ଖଡିଆଳ ବନ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚାରା ସମୟରେ ଅନ୍ୟ ଏକ ସ୍ଥାନରେ କଲରା ପତରିଆ ବାଘ ଛାଲ ଓ ଶମ୍ବର ଶିଙ୍ଗ ରଖିଥିବା ସୂଚନା ପାଇଥିଲେ। ଏହାପରେ କର୍ମଚାରୀମାନେ ନୂଆପଡା ସଦର ବ୍ଲକ ଆମାନାରା ପଞ୍ଚାୟତ ପାତାଲଘୁଟୁକୁରି ଗାଁରେ ଚଢାଉ କରି ମହେଶ ସାହୁଙ୍କ ଘରୁ ଗୋଟିଏ କଲରା ପତରିଆ ବାଘ ଛାଲ ଓ ୨ଟି ଶମ୍ବର ଶିଙ୍ଗ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଡିଏଫ୍ଓ ଖାନ୍ କହିଛନ୍ତି । ଖବରଦାତା ସମ୍ମିଳନୀରେ ଏସିଏଫ୍ ପ୍ରଶନଜିତ ନାଏକ, ମହମ୍ମଦ ମୁସ୍ତାଫା ସାହିଲ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ।


ଡିଏଫଓ ଙ୍କ ସାମ୍ବାଦିକ ସମ୍ମିଳନୀ : ୨ ବାଘଛାଲ, ୪ ଶମ୍ବର ଶିଙ୍ଗ ଜବତ: ୬ ଗିରଫ।
37