65
ନୂଆପଡ଼ା – ୩/୭- ୧୦ ଦଫା ଦାବି ପୂରଣ ଦାବିରେ ରାଜ୍ୟବ୍ୟାପୀ ଚାଲିଥିବା ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପ୍ରବେଶ କରିଛି। ଏହାର ପ୍ରଭାବ ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ରୋଗୀ ଓ ସେମାନଙ୍କ ପରିବାର ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଡାକ୍ତରମାନଙ୍କ ଦାବି ମଧ୍ୟରେ କ୍ୟାଡର ପୁନର୍ଗଠନ, ଲେଭେଲ-୧୫ ପେ’ ସ୍କେଲ୍ ବ୍ୟବସ୍ଥାର ପରିବର୍ତ୍ତନ, ସ୍ୱଚ୍ଛ ବଦଳି ନୀତି, କେବିକେ ଏକ୍ସିଟ୍ ପଲିସି, ଉନ୍ନତ ବୀମା ସୁବିଧା, ଦନ୍ତ ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି, ଡାକ୍ତରଙ୍କ ସୁରକ୍ଷା ସହ ଅନ୍ୟାନ୍ୟ ମୋଟ ୧୦ଟି ଦାବି ରହିଛି। ଏହି ସମସ୍ତ ଦାବି ତୁରନ୍ତ ପୂରଣ କରିବାକୁ ସେମାନେ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି। ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୧ ତାରିଖ ଡାକ୍ତର ଦିବସ ପର୍ଯ୍ୟନ୍ତ ସରକାରଙ୍କୁ ଦାବି ପୂରଣ ପାଇଁ ସମୟ ଦିଆଯାଇଥିଲା। ମାତ୍ର କୌଣସି ସକାରାତ୍ମକ ପଦକ୍ଷେପ ନ ହେବାରୁ ସେମାନେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି। ଜିଲ୍ଲାରେ ଶତାଧିକ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ଓପିଡି ସେବା, ଆଭ୍ୟନ୍ତରୀଣ ରୋଗୀ ସେବା ଓ ଅନ୍ୟାନ୍ୟ ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହୋଇଛି। ଯଦିଓ ଜରୁରୀକାଳୀନ ସେବାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଜାରି ରହିଛି, ତଥାପି ଅନେକ ରୋଗୀ ନିୟମିତ ଚିକିତ୍ସା ସେବା ନ ପାଇ ହଇରାଣ ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଯଦି ଏହି ଆନ୍ଦୋଳନ ଆହୁରି ଦୀର୍ଘସ୍ଥାୟୀ ହୁଏ, ତେବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତର ସଙ୍କଟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ଏହାକୁ ନେଇ ସାଧାରଣ ଲୋକ ଓ ବୁଦ୍ଧିଜୀବୀ ମହଳରେ ଚିନ୍ତା ବଢ଼ିଛି। ଉଭୟ ସରକାର ଓ ଡାକ୍ତର ସଂଗଠନ ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନରେ ପହଞ୍ଚି ସାଧାରଣ ଜନତାଙ୍କୁ ପୁନର୍ବାର ସ୍ୱାଭାବିକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଆନ୍ଦୋଳନରେ ସାମିଲ ଥିବା ଡାକ୍ତରମାନଙ୍କ ମଧ୍ୟରେ ଡ଼ା. ଉମାକାନ୍ତ ମେହେର, ଡ଼ା. ସ୍ୱତିରେଖା ନାୟକ, ଡ଼ା. ମହେନ୍ଦ୍ର ମାଝୀ, ଡ଼ା. ସଂକଳ୍ପ ଦାସ, ଡ଼ା. ପ୍ରିୟରଞ୍ଜନ ସାହୁ, ଡ଼ା. ପ୍ରଦୀପ କଅଁର, ଡ଼ା. ଆକାଂକ୍ଷା ଭୋଇ, ଡ଼ା. ଜ୍ଞାନଦେବ ମେହେର, ଡ଼ା. ମୋନିକା ସାହୁ, ଡ଼ା. ସଙ୍କିତ ପଟ୍ଟନାୟକ, ଡ଼ା. ଇସ୍ପିତ ତଥାଗତ ସୁନାନି, ଡ଼ା. ତୁଳାମରାମ ନାୟକ ପ୍ରମୁଖ ସାମିଲ ଥିଲେ।