120
ନୂଆପଡ଼ା- ୦୩/୦୮- ନୂଆପଡ଼ା ଜିଲ୍ଲାରେ ପର୍ଯ୍ୟଟନ ସୁବିଧା ଓ ପର୍ଯ୍ୟଟନ ଭିତ୍ତିଭୂମିର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ରବିବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ ବଲୱନ୍ତ ସିଂ ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଲିଥିବା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନାର ବିସ୍ତୃତ ସମୀକ୍ଷା କରିଥିଲେ।ବୈଠକରେ ଶ୍ରୀ ସିଂ କହିଥିଲେ ଯେ, ପର୍ଯ୍ୟଟନ କେବଳ ଅର୍ଥନୈତିକ ଅଭିବୃଦ୍ଧିର ମାଧ୍ୟମ ନୁହେଁ; ଏହା ରୋଜଗାର ସୃଷ୍ଟି, ସ୍ଥାନୀୟ ସମ୍ପଦର ସୁବିଚାରିତ ବ୍ୟବହାର ଏବଂ ସନ୍ତୁଳିତ ଆର୍ଥିକ ବିକାଶର ଏକ ପ୍ରମୁଖ କ୍ଷେତ୍ର। ପରିବେଶର ସୁରକ୍ଷାକୁ ପ୍ରାଥମିକତା ଦେଇ ସ୍ଥାୟୀ ବିକାଶକୁ ଆଗେଇ ନେବାରେ ପର୍ଯ୍ୟଟନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ପ୍ରକାଶ କରିଥିଲେ।ପର୍ଯ୍ୟଟନ କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇଁ ସମ୍ଭାବ୍ୟ ନିବେଶକ ଓ ଉଦ୍ୟୋଗୀମାନଙ୍କୁ GoSWIFT ପୋର୍ଟାଲ ମାଧ୍ୟମରେ ଆବେଦନ କରିବାକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଉପଲବ୍ଧ ବିଭିନ୍ନ ସବ୍ସିଡି ଓ ପ୍ରୋତ୍ସାହନମୂଳକ ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପର୍ଯ୍ୟଟନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସୁବିଧା ପ୍ରତିଷ୍ଠା ନିମନ୍ତେ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ସେ ପରାମର୍ଶ ଦେଇଥିଲେ। ବିଶେଷକରି ଟିଖାଲି ଡ୍ୟାମ୍ ପରିସରରେ ଥିବା ବୋଟିଂ ସୁବିଧାକୁ କେନ୍ଦ୍ର କରି ବେସରକାରୀ ଭାଗିଦାରୀରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶର ବ୍ୟାପକ ସମ୍ଭାବନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଆସନ୍ତା ଦିନରେ ଭବାନୀପାଟଣାରେ ଆୟୋଜିତ ହେବାକୁ ଥିବା ପର୍ଯ୍ୟଟନ ନିବେଶକ ଓରିଏଣ୍ଟେସନ କର୍ମଶାଳା ପାଇଁ ନୂଆପଡ଼ା ଜିଲ୍ଲାରୁ ୫୦ରୁ ୧୦୦ ଜଣ ଆଗ୍ରହୀ ନିବେଶକ ଓ ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।ଏହାସହ ଜିଲ୍ଲାରେ ଚାଲିଥିବା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରାଯାଇଥିବା ବେଳେ ପଥପ୍ରାନ୍ତ ଆମେନିଟି ସେଣ୍ଟରଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା, ପରିମଳ ବ୍ୟବସ୍ଥା ଓ ଉନ୍ନତ ପରିଚାଳନା ସୁନିଶ୍ଚିତ କରିବାକୁ କମିଶନର-କମ୍-ସଚିବ ଗୁରୁତ୍ୱାରୋପ କରିଥିଲେ।ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ବନଖଣ୍ଡ ଅଧିକାରୀ ଆଜିଜ୍ ଖାଁ, ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଶେଖ ନସୀମ, ଡେପୁଟି କଲେକ୍ଟର ତଥା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।