53
ନୂଆପଡ଼ା, ୧୩/୦୮: ଭୁବନେଶ୍ୱର ସ୍ଥିତ ଏକ୍ସଆଇଏମ୍ ୟୁନିଭର୍ସିଟି ପରିସରରେ ଅଗଷ୍ଟ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚତୁର୍ଥ ଓଡ଼ିଶା ୟୁଥ୍ କନଫରେନ୍ସ ଅଫ୍ ୟୁଥ୍ ରେ ନୂଆପଡ଼ା ଜିଲ୍ଲାର ଏକ ପ୍ରତିନିଧି ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମହାସମ୍ମିଳନୀକୁ ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭାମ୍ପାଟି ଉଦ୍ଘାଟନ କରିଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟା ରେ ଯୁବନେତା ଯୋଗଦେଇଥିଲେ। ଯୁବ ନେତୃତ୍ୱ, ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଓ ସବୁଜ ଭବିଷ୍ୟତ ନେଇ ସମ୍ମିଳନୀରେ ବ୍ୟାପକ ଆଲୋଚନା ହୋଇଥିଲା।
ଏହି ସମ୍ମିଳନୀରେ ନୂଆପଡ଼ାର ଯୁବ ନେତା ତଥା ୟୁଥ୍ କମିଟି ସଦସ୍ୟ କୌଶଳ ଚନ୍ଦ୍ରକାରଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରାସରୁଟ୍ ଗ୍ରୀନ୍ ଲିଡର୍ ଆୱାର୍ଡ ସହିତ ଓସିଓୱାଇ କମିଟି ପକ୍ଷରୁ ସ୍ମାରକୀ ପ୍ରଦାନ କରାଯାଇଥିଲା।
ସେହିପରି ପ୍ରତିନିଧି ଦଳର ଆଖିଆ ରାଜପୁତଙ୍କୁ କ୍ୟାପଟିଭେଟିଙ୍ଗ୍ କ୍ୟାଟାଲିଷ୍ଟ୍ ଆୱାର୍ଡ ଏବଂ ମନୋରଞ୍ଜନ ସୁନାରୀଙ୍କୁ ପରିବେଶ ସଚେତନତା କ୍ଷେତ୍ରରେ ଅବଦାନ ପାଇଁ ଇକୋ-ସାଭି ଆୱାର୍ଡରେ ସମ୍ମାନିତ କରାଯାଇଛି। ଅନ୍ୟତମ ପ୍ରତିନିଧି ଲୋକେଶ ସାହୁ ମଧ୍ୟ ସମ୍ମିଳନୀର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ସମ୍ମିଳନୀରେ ଯୋଗଦେଇଥିବା ପ୍ରତିନିଧିମାନେ କହିଛନ୍ତି ଯେ, ଏହି ମହାସମ୍ମିଳନୀ ମାଧ୍ୟମରେ ନୂଆ ଜ୍ଞାନ ଆହରଣ ସହ ଜଳବାୟୁ ଓ ପରିବେଶ ସୁରକ୍ଷା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଆହୁରି ଦୃଢ଼ ହୋଇଛି। ଓଡ଼ିଶା କନଫରେନ୍ସ ଅଫ୍ ୟୁଥ୍ର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ଯୁବପିଢ଼ିଙ୍କୁ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସଶକ୍ତ କରିବା। ବିଶେଷକରି ଦୁର୍ବଳ ଅଞ୍ଚଳର ଯୁବ ନେତାମାନଙ୍କୁ ଗରମ ପ୍ରବାହ, ଉପକୂଳବର୍ତ୍ତୀ ଅର୍ଥନୀତି, ସବୁଜ ଦକ୍ଷତା ବିକାଶ ଓ ପରିବେଶ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସାମିଲ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ।