30
ନୂଆପଡ଼ା- ୧୩/୮-ଦେଶପ୍ରେମର ଭାବନାରେ ମୁଖରିତ ହେଲା ଖଡ଼ିଆଳ ସହର। ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଭାରତ ମାତାଙ୍କ ସମ୍ମାନ, ଜାତୀୟ ପତାକାର ଗୌରବ ଏବଂ ଦେଶପ୍ରେମର ବାର୍ତ୍ତା ନେଇ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା।
ଏହି ଶୋଭାଯାତ୍ରାରେ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ସାମିଲ ହୋଇଥିଲେ। ଛାତ୍ରଛାତ୍ରୀମାନେ ହାତରେ ବିରାଟ ତ୍ରିରଙ୍ଗା ପତାକା ଧରିବା ସହ ୩୦୦ ମିଟରରୁ ଊର୍ଦ୍ଧ୍ୱ ଲମ୍ବା ତ୍ରିରଙ୍ଗା ଧରି ଦେଶଭକ୍ତିର ଅନନ୍ୟ ଦୃଶ୍ୟ ସୃଷ୍ଟି କରିଥିଲେ।ମହାବିଦ୍ୟାଳୟରୁ ବାହାରିଥିବା ଏହି ବିଶାଳ ରାଲି ଖଡ଼ିଆଳ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ୩୫୩ ନମ୍ବର ଜାତୀୟ ରାଜପଥ ଦେଇ ପୁନର୍ବାର ମହାବିଦ୍ୟାଳୟ ପରିସରକୁ ଫେରିଥିଲା। ରାଲି ସମୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଦେଶାତ୍ମବୋଧକ ନାରା ଦେଇ ସହରବାସୀଙ୍କ ମନରେ ଦେଶଭକ୍ତିର ଭାବନା ଜାଗ୍ରତ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ସରୋଜ କୁମାର ପଣ୍ଡା, ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଡ. ରଣବୀର ସିଂହ, ରାଜଲକ୍ଷ୍ମୀ ରଥ, ବିୟୁଟି ଅଗ୍ରୱାଲ, ନିବେଦିତା ଆଚାରୀ, ପ୍ରଣତି ପଣ୍ଡା, ଶତରୂପା ପଟ୍ଟନାୟକ, ଚର୍ଚ୍ଚିକା ବେହେରା, ଅଧ୍ୟାପକ ଗୁଣବନ୍ତ ସାହୁ, ଡ. ବିଷ୍ଣୁଦେବ ସିଂ ମଲ୍ଲିକ, ଡ. ରାଜକୁମାର ରତେ, ହରିହର ଭେସରା, ଜିତେନ୍ଦ୍ର କଳସାଇ, ସୁରେଶ ବାଗ, ମୃତ୍ୟୁଞ୍ଜୟ ମେହେର, ରୂପବନ୍ତ ଭୋଇ, ବିପିନ ବିଶି, ଦିବ୍ୟ ନାଗ, ଅଭିଷେକ ରଥ, ସୂର୍ଯ୍ୟକାନ୍ତ ଠାକୁର, ଗିରିଧାରୀ ନାଏକ, ନନ୍ଦୀଘୋଷ ନାଗଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତ ଥିଲେ।ଏହି ଅବସରରେ ଅଧ୍ୟାପକ-ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକାର ମହତ୍ତ୍ୱ, ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ମୂଲ୍ୟବୋଧ ସମ୍ପର୍କରେ ସଚେତନ କରିଥିଲେ।
ଛାତ୍ରୀ ଶିଖା ବାରିକ, ପରିଣୀତା ନାଏକ ଓ ସାଇ ସ୍ମୃତି ଠାକୁରଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ତ୍ରିରଙ୍ଗା ପ୍ରତି ସମ୍ମାନ, ଦେଶ ପ୍ରତି ଭଲପାଇବା ଏବଂ ଭାରତର ଗୌରବକୁ ଆହୁରି ମଜଭୁତ କରିବାର ବାର୍ତ୍ତା ପ୍ରଦାନ କରିଥିଲେ।ବିଶାଳ ତ୍ରିରଙ୍ଗା ଓ ଦେଶଭକ୍ତିର ନାରାରେ ଖଡ଼ିଆଳ ସହର ପରିକ୍ରମା କରିଥିବା ଏହି ଶୋଭାଯାତ୍ରା ସହରବାସୀଙ୍କ ମନରେ ଦେଶପ୍ରେମର ନୂଆ ଉତ୍ସାହ ସୃଷ୍ଟି କରିଥିଲା।