58
ନୂଆପଡା -୧୯/୦୫ (ସବ୍ୟୁ) ନୂଆପଡା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା) ର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ତିନୋଟି ଏନଏସି (ନୂଆପଡା, ଖଡିଆଳ ଓ ଖରିଆର ରୋଡ) ର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ମଧୁସୁଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଧରୁଆ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।ଆଜି ବୈଠକର ମୁଖ୍ୟ ନିଷ୍ପତ୍ତି ଓ ପ୍ରଗତି ଉପରେ ଆଲୋଚନା କରାଗଲା। ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା ରୋକ ଲଗାଇବା କୁ ଆଲୋଚନା କରାଗଲା । ଜିଲ୍ଲାର ବିଭିନ୍ନ ଏନଏସି ଅଞ୍ଚଳରୁ ବହୁ ପରିମାଣର ପ୍ଲାଷ୍ଟିକ ଜବତ କରାଯାଇଛି। ପ୍ଲାଷ୍ଟିକ ଡିପୋ ଉପରେ ନିୟମିତ ଚଢାଉ ସହ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ପିଏମଏୱାଇ ୨.୦ ଅଧୀନରେ ଖରୀଆର ରୋଡରେ ୩୯% ଏବଂ ନୂଆପଡା ଏନଏସିରେ ୨୯% ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଆବର୍ଜନା ସଂଗ୍ରହକୁ ସୁଦୃଢ କରିବା ପାଇଁ ବ୍ୟାଟେରୀ ଚାଳିତ ଯାନ ବ୍ୟବହାର କରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ କୁହାଯାଇଛି।ଟ୍ୟାକ୍ସ ବକେୟା ରଖିଥିବା ସରକାରୀ କାର୍ଯ୍ୟାଳୟ ଗୁଡିକ ବିରୋଧରେ ପ୍ରକ୍ରିୟା ଆରମ୍ଭ କରି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ବୈଠକରୁ ଶ୍ରେଷ୍ଠ ଟ୍ୟାକ୍ସ ସଂଗ୍ରାହକ, ସ୍ୱଚ୍ଛତା ୱାର୍ଡ ଏବଂ ସହଯୋଗ କରୁଥିବା ବ୍ୟକ୍ତି/ସଂସ୍ଥାକୁ “ପୌର ମିତ୍ର ପୁରସ୍କାର”ରେ ସମ୍ମାନିତ କରାଯିବ। ଏହି ବୈଠକରେ ତିନୋଟି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ସ୍ୱାଧୀନ ମହାରଣା, କମଳାସନ ରଥ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।