ନୂଆପଡ଼ା ୨୭/୭ (ସୁରେନ୍ଦ୍ର ତିୱାରୀ) ଅଗନା ଅଗନି ବନସ୍ତ ଚାରିଆଡେ ଘଞ୍ଚ ଅରଣ୍ୟ, ସବୁବେଳେ ନିରବତା ରାଜୁତି କରୁଥାଏ। ମଝି ମଝି ରେ ଶୁଭେ ପଶୁପକ୍ଷୀ ଙ୍କ କଳରବ। ଆଖ ପାଖରେ ଜନ ବସତି ନାହିଁ କିନ୍ତୁ ଏମିତି ଏକ ମାନବ ଶୂନ୍ୟ ଜଙ୍ଗଲ ଭିତରେ ପଚାଶ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ହେବ ରହି ଆସୁଛନ୍ତି ଏକ ୧୩ ଜଣିଆ ଆଦିବାସୀ ପରିବାର। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଭଇଁସାଦାନୀ ଗ୍ରାମ ପଞ୍ଚାୟତ। ଏହି ପଞ୍ଚାୟତର ସିଆଲଲଟି ଗ୍ରାମ। ଗ୍ରାମର ଖଇର ପଡ଼ା ଠାରୁ ଗୁରୁ ପର୍ବତ ପ୍ରାୟ ତିନି କିଲୋମିଟର। ଏହି ପାହାଡରେ ରହନ୍ତି ଏକ ଆଦିବାସୀ ପରିବାର। ସେମାନଙ୍କ ପାଖକୁ ଯିବା ପାଇଁ ଏକ ସଂକୀର୍ଣ୍ଣ ରାସ୍ତା। କଷ୍ଟେ ମଷ୍ଟେ ବାଇକରେ ଯାଇ ହୁଏ । କହିବା ଅନୁଯାୟୀ ପଚାଶ ବର୍ଷ ପୂର୍ବେ ସ୍ବର୍ଗତ ଟଙ୍କଧର ମାଝୀ ଓ ଆଉ କୋଡ଼ିଏ ପରିବାର ଜାଗା ବାଡ଼ି ନଥିବାରୁ ଜଙ୍ଗଲ ମଧ୍ୟ ପାହାଡ ରେ ଯାଇ ବସା ବାନ୍ଧିଲେ। ସେଠାରେ ସେମାନେ ଗାଁ ନାଆଁ ଦେଲେ ଗୋପପୁର। କିଛି ବର୍ଷ ପରେ ଅନ୍ୟ ପରିବାର ସବୁ ଜଙ୍ଗଲ ଛାଡି (ଗୋପପୁର ଛାଡି) ଅନ୍ୟତ୍ର ସବୁ ରହିବାକୁ ଲାଗିଲେ। ଟଙ୍କଧର କିନ୍ତୁ ପ୍ରକୃତି କୋଳରେ ରହି ଜଙ୍ଗଲ ଛାଡି ଆଉ କୋଉଠିକୁ ଗଲେ ନାହିଁ। ପରିବାର ଧରି ସେଇଠି ପଡ଼ି ରହିଲେ ଭାଗ୍ୟ କୁ ଆଦରି ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ। ଟଙ୍କଧରଙ୍କ ମୃତ୍ୟୁ ପରେ ଦୁଇ ପୁଅ ନିଜ ମାଆ ଓ ପରିବାର ସହ ସେଠାରେ ରହି ଆସୁଛନ୍ତି। ବଡ ପୁଅ ସୁନ୍ଦର ମାଝୀଙ୍କ ଚାରି ଜଣିଆ ପରିବାର ଓ ସାନ ପୁଅ ଜୟପାଲର ଆଠ ଜଣିଆ ପରିବାର। ଏମିତି ବିଧବା ମାଆ ସହ ଦୁଇ ଭାଇଙ୍କ ୧୩ ଜଣର ପରିବାର। ଜଙ୍ଗଲରେ ତାଙ୍କ ଘର ଥିବା ବେଳେ ଏ ପର୍ଯ୍ୟନ୍ତ ଗମନାଗମନ ପାଇଁ ରାସ୍ତା ଖଣ୍ଡେ ହୋଇ ପାରିଲା ନାହିଁ। ମଝିରେ କିଛି ଦୂର ମାଟି ପକା ଯାଇଥିଲା କିନ୍ତୁ କୌଣସି କାରଣ ପାଇଁ ତାହା ବନ୍ଦ ହୋଇଗଲା ବୋଲି ସେମାନେ ଦୁଃଖ ସହ କହନ୍ତି। ଏହି ପରିବାର ପାଇଁ ପିଇବା ପାଣି ସାତ ସପନ। ଏକ ନାଳରେ ଗାତ ଖୋଲି ପାଣି ସଂଗ୍ରହ କରନ୍ତି। ଖରାଦିନରେ କିନ୍ତୁ ପାଣି ପାଇଁ ବହୁତ୍ ଅସୁବିଧା ଭୋଗ କରିବାକୁ ପଡେ। ଏହି ପରିବାର ଏ ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ସଂଯୋଗ ସାତ ସପନ । କିଛି ବର୍ଷ ପୂର୍ବେ ମିଳିଥିବା ଏକ ସୋଲାର ଲାଇଟ୍ ଆଉ ଜଳୁ ନାହିଁ। ଦୁଇ ଭାଇଙ୍କୁ ଦୁଇଟି ପି.ଏଚ.ଏଚ. କାର୍ଡ ମିଳିଛି ଯହିଁରେ କେବଳ ପାଞ୍ଚ ଜଣଙ୍କୁ ପାଞ୍ଚ କିଲୋଗ୍ରାମ ଲେଖାଏ ମୋଟ ପଚିଶ କିଲୋଗ୍ରାମ ଚାଉଳ ମିଳୁଛି। ଅନେକ ଥର ଆବେଦନ କଲାପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନାହିଁ। ପରିବାରର ରୋଜଗାର କହିଲେ ମୂଲ ଖଟିବା କିବା ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରି ଦୁଇ ପଇସା ପାଇବା। ଆଗେ ବାପା ବଞ୍ଚିଥିଲା ବେଳେ ଦୁଇ ଭାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଥିଲେ। ବାପାଙ୍କ ଦେହାନ୍ତ ପରେ ସାନ ଭାଇ ପରିବାର ସହ ରହୁଥିବା ବେଳେ ବଡ ଭାଇ ଦାଦନ ଖଟିବାକୁ ଯାଆନ୍ତି।ଅଙ୍ଗନୱାଡି ଓ ସ୍କୁଲରେ ପଢିବା ପାଇଁ ଏହି ପରିବାରର ଶିଶୁ ମାନଙ୍କୁ ତିନି କିଲୋମିଟର ସିଆଲଲଟି ଗ୍ରାମକୁ ଯିବାକୁ ପଡେ। ଏଥିପାଇଁ ପରିବାର ଲୋକେ ଅନେକ ସମୟରେ ସାଙ୍ଗରେ ଯାଆନ୍ତି।ସେଥିପାଇଁ ସାନ ଭାଇ ନିଜର ତିନି ପୁଅ ଝିଅଙ୍କୁ ପ୍ରି ସ୍କୁଲ ( ଅଙ୍ଗନୱାଡି) ପରେ ପ୍ରଥମ ଶ୍ରେଣୀରୁ ତିରିଶ କିଲୋମିଟର ଦୂର କରଙ୍ଗାମାଲ ଆଶ୍ରମ ବିଦ୍ୟାଳୟରେ ଛାଡି ଦେଇଛନ୍ତି। ରୋଗରେ ପଡିଲେ କିବା ପ୍ରସବ କଷ୍ଟ ହେଲେ ତିନି କିଲୋମିଟର ପର୍ଯ୍ୟନ୍ତ ବୋହି ନେବାକୁ ପଡେ। ଏହି ପରିବାର ପାଇଁ ଭଲ ରାସ୍ତା ଖଣ୍ଡେ, ନଳକୂପଟିଏ ଓ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ନିହାତି ଆବଶ୍ୟକ। ଏନେଇ ବୋଡ଼େନ ବିଡ଼ିଓ ଙ୍କୁ ପଚାରିବାରୁ ତଦନ୍ତ କରି ନିୟମ ଅନୁସାରେ ଆବଶ୍ୟକ ସହଯୋଗ କରାଯିବ ବୋଲି କହିଛନ୍ତି।
ବୋଡ଼େନ : ପ୍ରକୃତି କୋଳରେ ଅଲୋଡ଼ା ହୋଇ ପଡ଼ିରହିଛି ଏକ ୧୩ ଜଣିଆ ଆଦିବାସୀ ପରିବାର
195
previous post