139
ନୂଆପଡ଼ା -୨୫/୭- ପରିବେଶ ସୁରକ୍ଷା ଏବଂ ସବୁଜ ସୁନ୍ଦର ପୃଥିବୀ ଗଢ଼ିବାର ମହତ୍ ଉଦ୍ଦେଶ୍ୟକୁ ସାମ୍ନାରେ ରଖି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାର ଏକ ବିଶାଳ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେପି ଯୁବମୋର୍ଚ୍ଚା, ନୂଆପଡ଼ାର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ଗୋଟିଏ ଗଛ କୋଟିଏ ଜୀବନ” ଏବଂ “ଗଛଟିଏ ରୋପଣ କରିବା, ସବୁଜ ସୁନ୍ଦର ପୃଥିବୀ ଗଢ଼ିବା” ବାର୍ତ୍ତାକୁ ଜନଜନଙ୍କ ନିକଟରେ ପହଞ୍ଚାଇବା ସହ ପରିବେଶ ସଚେତନତା ସୃଷ୍ଟି କରାଯାଇଥିଲା।
ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଶଜତ ସୋହନ ଯୋଷୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁର ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ବଢ଼ୁଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଆବଶ୍ୟକ।କାର୍ଯ୍ୟକ୍ରମରେ ଉଦନ୍ତୀ ମଣ୍ଡଳ ସଭାପତି ପୁସ୍ତମ ମିଶ୍ର, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନନ୍ଦକୁମାର ପାତ୍ର ଏବଂ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଶ୍ରୀମାନ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସାମିଲ ହୋଇଥିଲେ। ପରିବେଶ ସୁରକ୍ଷା ସହ ଜନସ୍ୱାସ୍ଥ୍ୟର ଘନିଷ୍ଠ ସମ୍ପର୍କ ଥିବାରୁ ଅଧିକରୁ ଅଧିକ ବୃକ୍ଷରୋପଣ ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।ଏହି ଅବସରରେ ବିଜେପି ସିନାପାଲି ବ୍ଲକର ପଦାଧିକାରୀ, ବିଭିନ୍ନ ମଣ୍ଡଳର ନେତୃବୃନ୍ଦ, ଯୁବମୋର୍ଚ୍ଚାର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ବହୁ ସଂଖ୍ୟକ ଯୁବକ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆମ୍ବ, ନିମ୍ବ, କରଞ୍ଜ, ଅଶୋକ ସମେତ ବିଭିନ୍ନ ପ୍ରଜାତିର ପ୍ରାୟ ୨୫୦ଟି ଚାରା ରୋପଣ କରିଥିଲେ।ବୃକ୍ଷରୋପଣ ପରେ ସମସ୍ତେ ରୋପଣ କରାଯାଇଥିବା ଚାରାଗୁଡ଼ିକର ନିୟମିତ ଯତ୍ନ ନେବା, ସୁରକ୍ଷା କରିବା ଓ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। “କେବଳ ଗଛ ଲଗାଇବା ନୁହେଁ, ବରଂ ତାହାକୁ ବଞ୍ଚାଇ ରଖିବା ହିଁ ପ୍ରକୃତ ପରିବେଶ ସେବା” ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ଓ ସାଧାରଣ ଜନତା ଏହି ପରିବେଶ ସଚେତନତାମୂଳକ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହ ଏପରି ଅଭିଯାନ ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।