ସରକାର ବଦଳୁଛି, ହେଲେ ରାସ୍ତା ର ରୂପ ବଦଳୁ ନାହିଁ ।
ନୂଆପଡ଼ା- ୧/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ରୋକାଲ ଗ୍ରାମ ପଞ୍ଚାୟତ ର ତାରାପୁର ଗାଁର ବସ୍ତି ଠାରୁ ସ୍କୁଲ ଯିବା ରାସ୍ତା ସାମାନ୍ୟ ବର୍ଷା ରେ କାଦୁଅ ପଚ୍ ପଚ୍ ହୋଇ ଚାଲିବା ମୁସ୍କିଲ ହୋଇପଡୁଛି । ନେତା ଆସନ୍ତି , ପ୍ରତିଶ୍ରୁତି ଦିଅନ୍ତି ଭୋଟ ନିଅନ୍ତି ବିଜୟୀ ହୁଅନ୍ତି । ସରକାର ବଦଳୁଛି ହେଲେ ରାସ୍ତା ର ରୂପ ବଦଳୁ ନାହିଁ ବୋଲି ଚର୍ଚ୍ଚା ହେଉଛି। ମୋତେ ଯେତେ ମାଠିବୁ ମାଠ ମୁ ସେହି ଦରପୋଡ଼ା କାଠ “ସଦୃଶ , ସାମାନ୍ୟ ବର୍ଷା ରେ ରାସ୍ତାରେ ପାଣି ଜମି କାଦୁଅ ପଚପଚ କରୁଥିବା ବେଳେ ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ,ପଥଚାରୀ ଓ ଯାନବାହା ଚଳାଚଳ କରିବା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ବର୍ତ୍ତମାନ ରୋକାଲ ପଞ୍ଚାୟତ ଅଧିନରେ ରହିଛି । ତାରାପୁର ଗ୍ରାମବାସୀଙ୍କ ତରଫରୁ ପ୍ରତିବର୍ଷ ନିୟମିତ ଅଭିଯୋଗ କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ୍ କରୁନାହାନ୍ତି ।
ବିଭିନ୍ନ ସମୟରେ ସ୍ଥାନୀୟ ଜନପ୍ରତିନିଧି , ନେତା ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀ ଆସି ମିଛ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି ଗୋଟାଏ ପ୍ରତିଶ୍ରୁତି ମଧ୍ୟ ପୁରଣ ହୋଇପାରୁନି । କଳେ ବଳେ କୌଶଳେ ଭୋଟ ପାଇ ଜିତିଯିବା ପରେ ନଜର ଅନ୍ଦାଜ କରିବା ସହ ନିର୍ବାଚିତ ପ୍ରତିନିଧି ମାନେ ନିଜର ଦାୟିତ୍ୟ ଭୁଲି ଯାଉଛନ୍ତି। ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ କୁମ୍ଭାକୁର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ , ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ହଜାର ହଜାର ଜନସାଧାରଣ,ଛାତ୍ର ଛାତ୍ରୀ, ରୋଗୀ, ବାଇକ ଆରୋହୀ ,ପଥଚାରୀ ନିଜ ଭାଗ୍ୟକୁ ଆଦରି,ନିଜ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ।ଗତବର୍ଷ ଏହି ରଥଯାତ୍ରା ସମୟରେ ତତ୍କାଳୀନ ବିଡିଓ ପ୍ରିୟରଞ୍ଜନ କୁମ୍ଭାରଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଓ କନିଷ୍ଠ ଯନ୍ତ୍ରୀ ସଂଗ୍ରାମ ପରିଡ଼ା ସରଜମିନ ତଦନ୍ତ କରି ଉକ୍ତ ରାସ୍ତାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରିଲା ନାହିଁ ବୋଲି ଅଭିଯୋଗ ହେଉଛି । ଉପରୋକ୍ତ କଦର୍ଯ୍ୟ ରାସ୍ତା ପାଇଁ ହଠାତ ସୁବିଧା ନ ପାଇ ରୋଗୀ ମାନଙ୍କର ଜୀବନହାନି ଆଶଙ୍କା ରହୁଛି। ସ୍ୱାଧୀନତା ର ୭୬ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ସୁଯୋଗ ରୁ ତାରାପୁର ଗ୍ରାମବାସୀ ବଞ୍ଚିତ ହେବା ଘଟଣା ବିଶ୍ମୟ ସୃଷ୍ଟି କରିଛି। ଏ ଭଳି ଦୁର୍ଦ୍ଦଶା ଦୀର୍ଘ ଦିନରୁ ଲାଗି ରହିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେଇ ଯଥା ଶୀଘ୍ର ଜିଲ୍ଲା ପ୍ରଶାସନ ବର୍ଷା ପୁର୍ବରୁ ରାସ୍ତା ନିର୍ମାଣ ସାଙ୍ଗକୁ ଆବଶ୍ୟକ ଡ୍ରେନେଜ ବ୍ୟବସ୍ଥା କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି ।