Home ରାଜ୍ୟସିନାପାଲି ରେ ‘ଶ୍ରାବଣୀ’ ବର୍ଷା ସାହିତ୍ୟ ଆସର: କବିତାର ଆସରରେ ଝଙ୍କୃତ ହେଲା ସାରସ୍ୱତ ପରିବେଶ।

ସିନାପାଲି ରେ ‘ଶ୍ରାବଣୀ’ ବର୍ଷା ସାହିତ୍ୟ ଆସର: କବିତାର ଆସରରେ ଝଙ୍କୃତ ହେଲା ସାରସ୍ୱତ ପରିବେଶ।

by Maraguda Express
0 comments
ନୂଆପଡ଼ା- ୧୨/୭-  ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ପକ୍ଷରୁ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ‘ଶ୍ରାବଣୀ’ ବର୍ଷା ସାହିତ୍ୟ ଆସର ରବିବାର ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳତାର ଅପୂର୍ବ ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସାରସ୍ୱତ ପରିବେଶକୁ ଅଧିକ ସମୃଦ୍ଧ କରିଥିଲା।
ସମିତିର ବରିଷ୍ଠ ସଦସ୍ୟ ବିଜୟ କୁମାର ଯୋଷୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିକ୍ଷାବିତ୍ ମହେଶ ତିୱାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାହିତ୍ୟ ସମାଜକୁ ନୂଆ ଚିନ୍ତାଧାରା ଓ ସକାରାତ୍ମକ ଦିଗନିର୍ଦ୍ଦେଶ ଦେଇଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ରଜନୀକାନ୍ତ ମେହେର, କବୟିତ୍ରୀ ବବିତା ମେହେର, ସମାଜସେବୀ ରାଜେଶ ଅଗ୍ରୱାଲ ଓ ଶିକ୍ଷକ ରମେଶ ମେହେର ଯୋଗଦେଇ ଗଙ୍ଗାଧର ସାରସ୍ୱତ ସମିତିର ନିରନ୍ତର ସାରସ୍ୱତ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।
କବି ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ଓ କବୟିତ୍ରୀ ଶାଶ୍ୱତୀ ହୋତାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ ଆସରରେ ଅଞ୍ଚଳର ବହୁ ନବାଗତ ଏବଂ ପ୍ରତିଷ୍ଠିତ କବି-କବୟିତ୍ରୀ ନିଜସ୍ୱ ସ୍ୱରଚିତ କବିତା ପାଠ କରି ଉପସ୍ଥିତ ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲେ। କବିତାରେ ପ୍ରକୃତି, ବର୍ଷା, ସମାଜ, ମାନବିକତା ଓ ମାତୃଭାଷା ପ୍ରତି ଭଲପାଇବାର ସୁନ୍ଦର ଅଭିବ୍ୟକ୍ତି ପ୍ରକାଶ ପାଇଥିଲା।
ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସାରସ୍ୱତ ସମାବେଶରେ ସମ୍ପାଦକ ତରୁଣ କୁମାର ମେହେର, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଲମ୍ବୋଦର ମେହେର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେରଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ସାହିତ୍ୟପ୍ରେମୀ, ଶିକ୍ଷାବିତ୍, କବି, ବୁଦ୍ଧିଜୀବୀ ଓ ସମାଜସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ପ୍ରାରମ୍ଭରେ ପରେଶନାଥ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚୂଡ଼ାମଣି ମେହେର ଓ ଦୀପକ ସା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରି ପରିବେଶକୁ ସଙ୍ଗୀତମୟ କରିଥିଲେ। ଶେଷରେ ହରେକୃଷ୍ଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗଙ୍ଗାଧର ସାରସ୍ୱତ ସମିତି ଦୀର୍ଘଦିନ ଧରି ବିଭିନ୍ନ ସାହିତ୍ୟିକ, ସାଂସ୍କୃତିକ ଓ ସାରସ୍ୱତ କାର୍ଯ୍ୟକ୍ରମର ଆୟୋଜନ କରି ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ ନିରନ୍ତର ଉଲ୍ଲେଖନୀୟ ଅବଦାନ ରଖିଆସୁଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha