19
ନୂଆପଡ଼ା- ୧୩/୦୭- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ବାଦୀ ଗ୍ରାମ ର ଏକ ସରକାରୀ ପରିସରରେ ଅବୈଧ ଭାବେ କୁକୁଡ଼ା ଲଢେଇକୁ କେନ୍ଦ୍ର କରି ଜୁଆ ଚାଲୁଥିବା ଖବର ପାଇ ଖଡ଼ିଆଳ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନ ବେଳେ ଘଟଣାସ୍ଥଳରୁ ୧୦ ଜଣଙ୍କୁ ଗିରଫ କରାଯିବା ସହ ୨୧ଟି ମୋଟରସାଇକେଲ, ୯ଟି ମୋବାଇଲ ଫୋନ ଏବଂ ୪,୨୯୦ ଟଙ୍କା ନଗଦ ଜବତ କରାଯାଇଛି।ପୁଲିସ ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ଦୁଇଟା ସମୟରେ ଏହି ଚଢ଼ାଉ କରାଯାଇଥିଲା। ଏସ୍ଆଇ ବବିତା ମହାଭୋଇଙ୍କ ନେତୃତ୍ୱରେ ପୁଲିସ ଟିମ୍ ହଠାତ୍ ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ।
ଏହି ଘଟଣାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସମେତ ଖଡ଼ିଆଳ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମର ମୋଟ ୧୦ ଜଣଙ୍କୁ ପୁଲିସ ଗିରଫ କରିଛି।ପୁଲିସ ଓଡ଼ିଶା ଜୁଆ ନିବାରଣ ଅଧିନିୟମ–୧୯୫୫ ଅନୁଯାୟୀ ଖଡ଼ିଆଳ ଥାନା କେସ୍ ନଂ–୨୩୭/୨୬ ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ମାମଲାର ତଦନ୍ତ ଏଏସ୍ଆଇ ଅରବିନ୍ଦ ମେହେର କରୁଥିବା ବେଳେ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅଧିକ ତଦନ୍ତ ଜାରି ରହିଛି।
ଏହି ଘଟଣା ପରେ ବାଦୀ ପଞ୍ଚାୟତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକ ସରକାରି ପରିସରରେ ଦୀର୍ଘ ଦିନ ଧରି ଏଭଳି କାର୍ଯ୍ୟକଳାପ ଚାଲୁଥିବାରୁ ସରକାରୀ ସମ୍ପତ୍ତିର ମର୍ଯ୍ୟାଦା କ୍ଷୁଣ୍ଣ ହେଉଛି ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଭୁଲ ବାର୍ତ୍ତା ଯାଉଛି। ଏହା ସହ ଆଇନଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ପଞ୍ଚାୟତବାସୀ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବା, ଦାୟୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବା ଏବଂ ଉପରୋକ୍ତ ପରିସରକୁ ସମ୍ପୂର୍ଣ୍ଣ ଜୁଆମୁକ୍ତ କରିବା ପାଇଁ ପ୍ରଶାସନ, ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସରକାରୀ ସମ୍ପତ୍ତିର ସୁରକ୍ଷା ଏବଂ ପରିସରର ମର୍ଯ୍ୟାଦା ବଜାୟ ରଖିବାକୁ ନିୟମିତ ନଜରଦାରି ଓ କଡ଼ା ଯାଞ୍ଚ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଦାବି ଉଠିଛି।