ନୂଆପଡ଼ା -୨୭/ ୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ନେହେନା ଗ୍ରାମର ଇଷ୍ଟ ଦେବୀ ଭାବରେ ପୂଜାପାଇ ଆସୁଥିବା ମା’ ଗଙ୍ଗାଦୀଙ୍କ ପୂଜାପୀଠ ଦୀର୍ଘ ବର୍ଷହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ଫଳରେ ପୀଠର ଏଭଳି ଦୁରାବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ସୂଚନା ଅନୁଯାୟୀ ଏହି ଗ୍ରାମରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ ପରିବାର ବସବାସ କରୁଥିବା ବେଳେ ଗ୍ରାମର ଆରାଧ୍ୟ ଦେବୀ ମାଁ ଗଙ୍ଗାଦୀଙ୍କ ପୂଜା ପାଇଁ ପିଠନାହିଁ। ପାର୍ବଣ ଋତୁ ଆସିଲେ ମାଙ୍କ ନିକଟରେ ପ୍ରତ୍ୟେକ ପରିବାର ପୂଜା ପାଇ ଆସିଥାନ୍ତି। ବିଗତ ୬ ବର୍ଷ ତଳେ ପୂଜା ପୀଠର ସମ୍ମୁଖ ଭାଗ ନିର୍ମାଣ କୌଣସି ପାଣ୍ଠିରୁ ୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା ବୋଲି ଗ୍ରାବାସୀମାନେ କହନ୍ତି । ଠିକାଦାର ପିଠର ଛାଯା ଲେବୁଲ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। କୌଣସି କାରଣ ବଶତଃ କାର୍ଯ୍ୟ ବନ୍ଦ ହୋଇଗଲା ଓ ସେହି ଦିନ ଠାରୁ ପିଠ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ପିଠକୁ ଯିବାକୁ ରାସ୍ତା ନାହିଁ ଚତୁର୍ପାର୍ଶ୍ଵରେ ଲତା ବୁଦାରେ ଭର୍ତ୍ତି ହୋଇଛି। ଏହି ମା ଗଙ୍ଗାଦୀ ଦେବୀଙ୍କ ବିଶେଷ୍ୟତ୍ୱ ହେଉଛି ଗ୍ରାମର ଯେ କୌଣସି ଯୁବକ ଯୁବତୀ ମାନଙ୍କ ବିବାହ କାର୍ଯ୍ୟକ୍ରମରେ ମା ଗଙ୍ଗାଦୀ ମାଁ ଙ୍କ ଠାରେ ପ୍ରଥମେ ହଳଦି ଓ ନୂତନ ବସ୍ତ୍ର ଅର୍ପଣ କରି ସେଠାରୁ ଆଣି ବର ଓ କନ୍ୟାକୁ ପରିଧାନ କରି ବିବାହ କାର୍ଯ୍ୟ ଆରମ୍ଭ ହୋଇଥାଏ। ଗ୍ରାମବାସୀଙ୍କ ଏତେ ଗୁରୁତ୍ୱ ବହନ କରୁଥିବା ଦେବୀ ପୀଠ ଏପରି ଅବସ୍ଥା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା କେଉଁ ଉଦ୍ଦେଶ୍ୟରେ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମ ର ଝାଙ୍କର ଟଙ୍କଧର ବିଶି, ପୂଜକ ଦୁଃଶାସନ ଥନାପତି, ତରଣୀ ସେନ ବିଶି, ମହେନ୍ଦ୍ର ଦଣ୍ଡସେନା, ରୁଦ୍ରମାଧବ ରାଉତରାୟ, ଜୟଦେବ ନାଗ ଓ ବାଞ୍ଛାନିଧି ରାଉତରାୟ ପ୍ରମୁଖ। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦେବୀ ପିଠ ପାଇଁ ପାଣ୍ଠି ମଞ୍ଜୁର କରି ନୂତନ ଭାବରେ ନିର୍ମାଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ନେହେନା ଗ୍ରାମ ଦେବୀ ପିଠ
142