122
ନୂଆପଡ଼ା -୩/୬-ଓଡ଼ିଶା ରାଜ୍ୟ ପଛୁଆ ଅଞ୍ଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ର ମହାନ ନେତା ତଥା ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ପ୍ରଫେସର ଅବନୀ କୁମାର ବରାଳ ଙ୍କ ୯୨ ତମ ଜନ୍ମ ଜୟନ୍ତୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ସ୍ୱର୍ଗତ ବରାଳଙ୍କ ଜୀବନୀ ଓ ସଂଗ୍ରାମ ଉପରେ ଆଲୋକପାତ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ଯେ, ପ୍ରଫେସର ବରାଳ କେବଳ ଜଣେ ଶିକ୍ଷକ ନଥିଲେ, ବରଂ ଶିକ୍ଷକମାନଙ୍କ ସ୍ଥିତି, ବୃତ୍ତିଗତ ସ୍ଥାୟୀତ୍ୱ ଓ ଅଧିକାର ପାଇଁ ସେ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ। “ରାଜ୍ୟରେ ଶିକ୍ଷା ସଂସ୍କାର ଏବଂ ଶିକ୍ଷକ-କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ପ୍ରଫେସର ବରାଳଙ୍କ ଅବଦାନ ସଦା ସର୍ବଦା ଅତୁଳନୀୟ ଓ ଅବିସ୍ମରଣୀୟ ରହିବ।” – ବୋଲି ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡା ସ୍ମୃତି ଚାରଣ କରିଥିଲେ ।ଉଲ୍ଲେଖଯୋଗ୍ୟ ଯେ, ପ୍ରଫେସର ବରାଳ ୧୯୯୪ ମସିହାରେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ। ସେ ନିଜ ଛାତ୍ର ଜୀବନରୁ ହିଁ ଶିକ୍ଷା ଓ ଶିକ୍ଷକ ସମାଜ ପାଇଁ ସ୍ୱର ଉତ୍ତୋଳନ କରିଆସୁଥିଲେ। ପରବର୍ତ୍ତୀ ସମୟରେ ସେ ବିଶ୍ୱ ଶିକ୍ଷକ ମହାସଂଘ ର ଉପସଭାପତି ଭାବେ ନିର୍ବାଚିତ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ଼ ରଣବୀର ସିଂହ (ଯୁକ୍ତ ଦୁଇ ଅଧ୍ୟକ୍ଷ), ଡ଼ ଗୀତାଶ୍ରୀ ପ୍ରିୟମ୍ବଦା (ମହାବିଦ୍ୟାଳୟ ଶିକ୍ଷକ କର୍ମଚାରୀ ସଂଘ ସମ୍ପାଦିକା) , ଅଧ୍ୟାପିକା ସାଗରିକା ପଣ୍ଡା (ସହ ଛାତ୍ର କଲ୍ୟାଣ ଅଧିକାରୀ) , ଅଧ୍ୟାପିକା ନିବେଦିତା ଆଚାରୀ (IGNOU ସହ ସଂଯୋଜିକା) ଏହାସହିତ ମୋହିତ ଅଦା, ରବିନ୍ଦ୍ର ବାଗ, ପ୍ରମୋଦ ପଟେଲ, ସୁଘୋଷ ପଟ୍ଟନାୟକ, ରୀତା ବାରିକ, ଆଶୁତୋଷ ଯୋଶୀ, ରାଜା ବାରିକ, ବିଜୁ ନାଏକ, ରାଜିନ କରୁଁଆ ଓ ବିବେକାନନ୍ଦ ପ୍ରଧାନୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।ସଭାର ଶେଷରେ ସମସ୍ତ ସଦସ୍ୟ ଶିକ୍ଷା ଓ ଶିକ୍ଷକ ସମାଜର ବିକାଶ ନିମନ୍ତେ ଅନନ୍ୟ ସାଧକ ପ୍ରଫେସର ଅବନୀ କୁମାର ବରାଳଙ୍କ କର୍ମନିଷ୍ଠା, ତ୍ୟାଗ, ଦାୟିତ୍ୱବୋଧ ଓ ସାଧନାକୁ ସ୍ମରଣ କରି ତାଙ୍କ ଦେଖାଇଥିବା ମାର୍ଗରେ ଚାଲିବାକୁ ସଂକଳ୍ପ ନେଇଥିଲେ।